କାଲିଠାରୁ ସାରା ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଘର ତିଆରି ମାସ୍କ କିମ୍ବା କଟନ କପଡ଼ାରେ ବି ଘୋଡାଇ ପାରିବେ ମୁହଁ, ଅଭାବ ପୂରଣ ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ମାସ୍କ ତିଆରି କରୁଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ।

579

କନକ ବ୍ୟୁରୋ : ଆସନ୍ତାକାଲି ସକାଳୁ ଅର୍ଥାତ ଏପ୍ରିଲ ୯ ତାରିଖରୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସାରା ଓଡିଶାରେ ଏହି ନିୟମ ଲାଗୁହେବାକୁ ଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ରିପୋର୍ଟ ଅନୁସାରେ ବାହାରକୁ ବାହାରିଲେ ମାସ୍କ ଆପଣଙ୍କୁ ଅନେକାଂଶରେ ସୁରକ୍ଷା ଦେଇପାରିବ । ଆମ ଓଡିଶାରେ ମାସ୍କ ପିନ୍ଧିବା ସେଭଳି ପୂରୁଣା ଅଭ୍ୟାସ ନୁହେଁ । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ମାସ୍କ ତିଆରି ଆରମ୍ଭ ହୋଇଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଔଷଧ ଦୋକାନରୁ ମାସ୍କ କିଣିବା ଆବଶ୍ୟକ ନୁହେଁ । ବରଂ ଘରେ ତିଆରି କରି ମଧ୍ୟ ମାସ୍କ ପିନ୍ଧି ପାରିବେ ।

ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ରାଜ୍ୟ ସରକାରଙ୍କ ତରଫରୁ ଏଭଳି କଟକଣା ଲାଗୁ ହେବା ପରେ ରାଜ୍ୟରେ ମାସ୍କର ଅଭାବକୁ ପୂରଣ କରିବା ପାଇଁ ମାଲକାନଗିରିରେ ଏସଏଚଜି ମହିଳାଙ୍କୁ ମାସ୍କ ପ୍ରସ୍ତୁତିରେ ନିୟୋଜିତ କରାଯାଇଛି । ମାଲକାନଗିରି ଜିଲ୍ଲା ଓ ଏଲଏମ ବା ଓଡିଶା ଜୀବିକା ମିଶନ ଜରିଆରେ ଏସଏଚଜିି ମହିଳାମାନେ ଘରେ କୁଟୀର ଶିଳ୍ପ ଆରମ୍ଭ କରି ମାସ୍କ ପ୍ରସ୍ତୁତିରେ ଲାଗିପଡିଛନ୍ତି । ମାଲକାନଗିର ଭଳି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ମାସ୍କ ତିଆରି କାମରେ ଲାଗିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ସରକାରୀ ଏବଂ ବେସରକାରୀ ସ୍ତରରେ ବ୍ୟାପକ ମାସ୍କ ତିଆରି କାର୍ଯ୍ୟ ଜୋରସୋରରେ ଚାଲିଛି ।

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ମାସ୍କ, ଓଢଣୀ, ଗାମୁଛା ବ୍ୟବହାର କରିପାରିବେ ଲୋକ । ଏପରି କ୍ଷେତ୍ରରେ ବାଲେଶ୍ୱର ରାଣୀପାଟଣାରେ ୩ଜଣ ମହିଳା ମାସ୍କ ତିଆରୀ କରି ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟୁଛନ୍ତି । ଅନ୍ୟପଟେ କନ୍ଧମାଳ ଜିଲ୍ଲା ରାଇକିଆରେ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ମହାମାରୀର ମୁକାବିଲା ପାଇଁ ତିଆରି କରୁଛନ୍ତି ମାସ୍କ । ମାର୍ଚ୍ଚ ୧୯ ତାରିଖରୁ ଏହି କାମ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ୫ ହଜାର ମାସ୍କ ତିଆରି କରିବା ସହ ଆହୁରି ଅଧିକ ମାସ୍କ କରିବା ପାଇଁ ଲାଗିଛନ୍ତି ମହିଳା ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅର୍ଡାବାହାଲ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରରେ ଜିଲ୍ଲା ପ୍ରଶାସନ ତରଫରୁ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀର ସିଲେଇ ତାଲିମ ପ୍ରାପ୍ତ ମହିଳା ମାସ୍କ ତିଆରି କାମରେ ନିୟୋଜିତ ହୋଇଛନ୍ତି । ଏଥିରେ ନିଜେ ସ୍ୱାବଲମ୍ବୀ ହେବା ସହିତ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ଆଠଗଡ ବ୍ଲକ ବାଳି ଗାଁର ମାଆ ହିଙ୍ଗୁଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଲାଗିଛନ୍ତି ମାସ୍କ ତିଆରି କରିବାରେ । କପଡା ସହ ଇଲାଷ୍ଟିକର ବ୍ୟବହାର କରି ମାସ୍କ ପ୍ରସ୍ତୁତ କରାଯାଉଛି ।

କରୋନା ମହାମାରୀ ପାଇଁ ସାରା ବିଶ୍ୱର ଅର୍ଥନୀତି ଦୋହଲି ଯାଇଛି । ପୁରା ବିଶ୍ୱ ଏବେ ଲକ ଡାଉନରେ ଥିବାବେଳେ ଘରୁ ବାହାରି ନପାରି ଲକ୍ଷଲକ୍ଷ ଲୋକ ରୋଜଗାର ହରାଇଛନ୍ତି । ଏପରିସ୍ଥଳେ ଏହି କରୋନା ଲଢେଇରେ ସାମିଲ ହୋଇ କିଛି ମହିଳା ମାସ୍କ ତିଆରି କରି ରୋଜଗାରକ୍ଷମ ହୋଇପାରିଛନ୍ତି ।