ଖୁବ ଶୀଘ୍ର ଆସୁଛି ମାରୁତିର ଇଲେକ୍ଟ୍ରିକ୍ କାର୍ ! ଜାଣନ୍ତୁ କ’ଣ ରହିଛି ଗାଡ଼ିର ବିଶେଷତ୍ୱ

39

କନକ ବ୍ୟୁରୋ : ଦେଶର ବୃହତ୍ତମ କାର କମ୍ପାନି ମାରୁତି ସୁଜୁକୀ ଆସନ୍ତା ଅଟୋ ଏକ୍ସପୋ ଅବସରରେ ନିଜର ପ୍ରଥମ ଇଲେକ୍ଟ୍ରିକ୍‌ କାରର ପ୍ରଦର୍ଶନ କରିବ । ଏହାର ନାଁ ରହିଛି ଇ-ସର୍ଭାଇଭର । ଏହା ଏକ ଦୁଇଟି ସିଟ୍‌ ଥିବା ଏସୟୁଭି । ତେବେ ଏହା ବଜାରକୁ ଆସିବାକୁ ଆଉ କିଛି ଦିନ ଲାଗିବ । କାରଣ ଏହା କେବଳ ଏକ କନସେପ୍ଟ କାର । ଅର୍ଥାତ୍‌ କମ୍ପାନି ପରିକଳ୍ପନାରେ ଭବିଷ୍ୟତର ଇଲେକ୍ଟ୍ରିକ କାର କିପରି ରହିବ ତାହାର ଏକ ଝଲକ ମାତ୍ର । ଏଥିରେ ରହିଛି ଭବିଷ୍ୟତର ଟେକନଲୋଜୀ ଅଟୋନୋମସ, କନେକ୍ଟେଡ୍‌ ଓ ଇଲେକ୍ଟ୍ରିକ୍‌ ଆଦିର ସମ୍ମିଶ୍ରଣ ।

ମାରୁତି ଆଗକୁ ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଥିବାବେଳେ ଏବେଠାରୁ ଲୋକମାନଙ୍କୁ ମତାମତ ପରଖିବାକୁ ଚାହୁଁଛି । କମ୍ପାନି ଆସନ୍ତା ୨୦୨୦ ସୁଦ୍ଧା ନିଜର ଇଲେକଟ୍ରିକ୍‌ କାର ବଜାରକୁ ଛାଡ଼ିବାକୁ ଯୋଜନା କରୁଛି ବୋଲି ଗତ ମାସରେ ଏହାର ଅଧ୍ୟକ୍ଷ ଆରସି ଭାର୍ଗବ କହିଥିଲେ । ଟୟୋଟା ସହଯୋଗିତାରେ କମ୍ପାନି ଏହା କରିବ, କାରଣ ମାରୁତି ପାଖରେ ଇଲେକଟ୍ରିକ ଯାନ ନିର୍ମାଣର ଟେକନଲୋଜୀ ନାହିଁ ।

ଦେଶର ତୈଳ ଆମଦାନୀ ହ୍ରାସ ଓ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର ୨୦୩୦ ସୁଦ୍ଧା କେବଳ ଇଲେକଟ୍ରିକ୍‌ କାର ନିମନ୍ତେ ଅନୁମତି ଦେବାକୁ ବିଚାର କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ କାର୍‌ କମ୍ପାନି ଇଲେକ୍ଟ୍ରିକ୍‌ କାର ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ।