ଜମ୍ମୁ-କଶ୍ମୀର ଅନନ୍ତନାଗରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି : ଆତଙ୍କବାଦୀଙ୍କ ଗୁଳିରେ ୫ ସିଆରପିଏଫ୍ ଯବାନ ସହିଦ, ୩ ଆହତ

115

କନକ ବ୍ୟୁରୋ : ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସହିଦ ୫ ଜଣ ଯବାନଙ୍କ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଶ୍ରୀନଗରରେ ସହିଦଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଗତକାଲି ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ଯବାନଙ୍କ ପାଲଟା ଗୁଳିମାଡରେ ୨ ଜଣ ଆତଙ୍କବାଦୀ ବି ପ୍ରାଣ ହରାଇଥିଲେ । ଅନନ୍ତନାଗର ବ୍ୟସ୍ତବହୁଳ ରାସ୍ତାରେ ସିଆରପିଏଫର ପାଟ୍ରୋଲିଂ ପାର୍ଟି ଉପରକୁ ମୋଟର ସାଇକେଲରେ  ଜୈସ-ଇ-ମହମ୍ମଦଙ୍କ ଦୁଇ ଜଣ ଆତଙ୍କବାଦୀ ଗୁଳିମାଡ଼ କରିବା ସହ ଗ୍ରେନେଡ୍ ମାଡ କରିଥିଲେ ।

ଏହାପରେ ସିଆରପିଏଫ୍ ଯବାନଙ୍କ ସହ ଅନନ୍ତନାଗର ସଦର ଥାନା ପୋଲିସ ମିଳିତ ଭାବେ ଅପରେସନ୍ ଆରମ୍ଭ କରିଥିଲା । ଯବାନଙ୍କ ଗୁଳିମାଡରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଅମରନାଥ ଯାତ୍ରାର ମାତ୍ର ୩ ସପ୍ତାହ ପୂର୍ବରୁ ଏହି ଆକ୍ରମଣ ହୋଇଥିବାରୁ ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଅଲ୍ ଉମର ମୁଜାହିଦିନ୍ ନାମକ ଏକ ଆତଙ୍କୀ ସଂଗଠନ, ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ବେଳେ ଏହା ଜୈସୀ ମହମ୍ମଦର କାଣ୍ଡ ବୋଲି କୁହଯାଉଛି ।

ଆକ୍ରମଣର ସମୟକୁ ଦେଖି ସମସ୍ତେ ଆଶଙ୍କା କରୁଛନ୍ତି ଯେ, କାଶ୍ମୀରରେ ପୁଣି ଆତଙ୍କବାଦ ଫେରାଇ ଆଣିବାକୁ ଉଦ୍ୟମ ହେଉଛି କି ? କାରଣ ଫେବୃଆରୀ ୧୪ ତାରିଖରେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଏକପ୍ରକାର ଏକଘରିକିଆ ହୋଇଯାଇଥିଲା । ପାକିସ୍ତାନ ବିରୋଧରେ ଆକ୍ସନ ହୋଇଥିଲା । ବିଶ୍ୱ ସମୁଦାୟ ବି ଏହାକୁ ନିନ୍ଦା କରିଥିଲେ । କିନ୍ତୁ ଗତକାଲିର ଅନନ୍ତନାଗ ଘଟଣାରୁ ଏହା ପ୍ରମାଣିତ ହୋଇଛି ଯେ, ପୁଣି ଘାଟିରେ ଆଶାନ୍ତି ସୃଷ୍ଟି କରିବାକୁ କିଛି ଗୋଷ୍ଠୀ ଉଦ୍ୟମ କରୁଛନ୍ତି ।