ପୈତୃକ ଗାଁ ଅଭିମୁଖେ ଦୁଇ ସହିଦ ଯବାନଙ୍କ ପାର୍ଥିବ ଶରୀର ! ଜନ୍ମମାଟିରେ ଆଜି ହେବ ଅନ୍ତିମ ସଂସ୍କାର ।

128

କନକ ବ୍ୟୁରୋ : ପୈତୃକ ଗାଁ ଅଭିମୁଖେ ବାହାରିଲା ସହିଦଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରୁ ବାହାରିଲା ପ୍ରାର୍ଥିବ ଶରୀର । ଦୁଇ ସହିଦ ଯବାନଙ୍କ ପ୍ରାର୍ଥିବ ଶରୀରକୁ ନିଜ ନିଜ ପୈତୃକ ଗାଁକୁ ନିଆଯାଉଛି । ଜଗତସିଂହପୁର ଯାଉଛି ସହିଦ ପ୍ରସନ୍ନ କୁମାର ସାହୁଙ୍କ ପ୍ରାର୍ଥିବ ଶରୀର । ପ୍ରସନ୍ନଙ୍କ ଶବଧାରରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ନିଆଳି ରତନପୁର ଗାଁକୁ ନିଆଯାଉଛି ସହିଦ ଯବାନ ମନୋଜ ବେହେରାଙ୍କ ମରଶରୀର ।

ଆତଙ୍କବାଦୀ ହମଲାରେ ପ୍ରସନ୍ନ ଓ ମନୋଜ ସହିଦ ହେବା ଖବର ଗାଁରେ ପହଂଚିବା ପରେ ସ୍ତବ୍ଧ ହୋଇଯାଇଛି ଜନ୍ମମାଟି । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଅଂଚଳବାସୀ ସହିଦଙ୍କୁ ଝୁରି ହେଉଛନ୍ତି । ଆଜି ସହିଦଙ୍କ ପାଇଁ ଗୁମୁରୁ ଗୁମୁରି କାନ୍ଦୁଛି ଜନ୍ମମାଟି । ସହିଦ ପ୍ରସନ୍ନ କୁମାର ସାହୁ ୧୯୯୫ ମସିହାରେ ସିଆରପିଏଫର ଯୋଗ ଦେଇଥିଲେ । ଏହାପରେ ସେ ଜମ୍ମୁକଶ୍ମୀରରେ ସିଆରପିଏଫର ୬୧ ବାଟାଲିୟନରେ କାର‌୍ୟ୍ୟରତ ଥିଲେ । ୨୦୦୬ ମସିହାରେ ମନୋଜ ସିଆରପିଏଫରେ ଯୋଗ ଦେଇଥିଲେ ।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରିଶିଖର ଗାଁ ଯାଇ ସହିଦ ପ୍ରସନ୍ନ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ବୋଲି ସୂଚନା ରହିଛି । ସେହିପରି ରତନପୁର ଗାଁରେ ପହଂଚି ସହିଦ ମନୋଜ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେହିପରି ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ସହିଦଙ୍କ ପରିବାରକୁ ଭେଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଜଗତସିଂହପୁର ଯାଇ ସହିଦ ଯବାନ ପ୍ରସନ୍ନ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ବୋଲି ଜଣାପଡିଛି । ସେହିପରି ମନ୍ତ୍ରୀ ପ୍ରତାପ ଜେନା ନିଆଳିର ରତନପୁର ଯାଇ ସହିଦ ମନୋଜ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ବୋଲି ଜଣାପଡିଛି ।