ପୈତୃକ ଗାଁରେ ପହଞ୍ଚିଲା ସହିଦ ବୀର ଓଡିଆ ଯବାନ ମନୋଜଙ୍କ ପାର୍ଥିବ ଶରୀର ! କାନ୍ଦବୋବାଳିରେ ଫାଟି ପଡୁଛି ଗାଁ, ଝୁରୁଛନ୍ତି ସାଙ୍ଗସାଥୀ, ଝୁରୁଛି ଗାଁ ମାଟି ।

204

କନକ ବ୍ୟୁରୋ : ଜନ୍ମମାଟିରେ ପହଞ୍ଚିଲା ପୁଲୱାମା ଆତଙ୍କୀ ହାମଲାରେ ସହିଦ ହୋଇଥିବା ଓଡିଆ ଯବାନ୍ ମନୋଜ ବେହେରାଙ୍କ ପାର୍ଥିବ ଶରୀର । ସହିଦଙ୍କ ଜୟ ଜୟକାରରେ କମ୍ପି ଉଠୁଛି ପୁରା ପରିବେଶ । ହଜାର ହଜାର ଲୋକଙ୍କ ସମାଗମ ହୋଇଛି ସହିଦ ମନୋଜ ବେହେରାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ । ମରଶରୀର ପହଞ୍ଜିବା ପରେ ଗାଁରେ ଦେଖାଦେଇଛି ଶୋକାକୁଳ ପରିବେଶ ।ଆଉ କିଛି ସମୟ ପରେ ପୈତୃକ ଗାଁ କଟକ ଜିଲ୍ଲା ନିଆଳୀର ରତନପୁର ଗାଁରେ ହେବ ମନୋଜଙ୍କ ଶେଷକୃତ୍ୟ । ପଞ୍ଚଭୂତରେ ଲୀନ ହେବ ସହିଦ ଯବାନଙ୍କ ମରଶରୀର । କାନ୍ଦବୋବାଳିରେ ଫାଟି ପଡୁଛି ପୁରା ଗାଁ । ମନୋଜଙ୍କ ଝୁରୁଛନ୍ତି ତାଙ୍କ ସାଙ୍ଗସାଥୀ, ଝୁରୁଛି ତାଙ୍କ ଗାଁ ମାଟି । ମନୋଜଙ୍କୁ ନେଇ ଗୋଟେପଟେ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ସତ କିନ୍ତୁ ଦେଶ ପାଇଁ ଜୀବନ ଦେଇଥିବାରୁ ସମସ୍ତେ ମନୋଜଙ୍କ ପାଇଁ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି ।

ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ଯବାନ ମନୋଜଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ, କେନ୍ଦ୍ରମନ୍ତ୍ରୀ, ଏବଂ ରାଜ୍ୟର ଅନେକ ମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ୨୦୦୬ରେ ମନୋଜ ସିଆରପିଏଫରେ ଯୋଗ ଦେଇଥିଲେ । ଗତ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କୀ ହମଲାରେ ସହିଦ ହୋଇଥିଲେ ଓଡିଶାର ଏହି ବୀର ଓଡିଆ ଯବାନ ମନୋଜ ବେହେରା ।