ପାକିସ୍ତାନରେ ରହୁଥିବା ହିନ୍ଦୁ ମହିଳା ପାଇବେ ବିବାହ ପ୍ରମାଣ ପତ୍ର : ସିନେଟରେ ପାରିତ ହେଲା ବହୁ ପ୍ରତୀକ୍ଷିତ ହିନ୍ଦୁ ମ୍ୟାରେଜ ବିଲ

37

କନକ ବ୍ୟୁରୋ : ପାକିସ୍ତାନ ସିନେଟରେ ପାରିତ ହେଲା ବହୁ ପ୍ରତିକ୍ଷିତ ହିନ୍ଦୁ ମ୍ୟାରେଜ୍ ବିଲ୍ -୨୦୧୭ । ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ବିବାହ ଏହି ନୂଆ ଆଇନ ଅନୁଯାୟୀ ହେବ । ଦୀର୍ଘ ଦିନ ଧରି ହିନ୍ଦୁମାନେ ସେମାନଙ୍କ ପାଇଁ ପର୍ସନାଲ ଲ’ ପାଇଁ ଦାବି କରି ଆସୁଥିଲେ । ଆଜି ସିନେଟରେ ଏହି ବିଲକୁ ବିନା ବିରୋଧରେ ପାରିତ କରାଯାଇଛି ।

୨୦୧୫ ସେପ୍ଟେମ୍ବରରେ ଏହି ବିଲ୍ ନ୍ୟାସନାଲ ଆସେମ୍ବିରେ ପାରିତ ହୋଇଥିଲା । ଏହା ଆଇନରେ ପରିଣତ ହେବା ପରେ ପାକିସ୍ତାନରେ ରହୁଥିବା ହିନ୍ଦୁମାନଙ୍କ ବିବାହ, ବିବାହ ପଂଜିକରଣ, ଛାଡପତ୍ର, ପୁନଃବିବାହ ଆଦି ମ୍ୟାରେଜ୍ ବିଲ୍ ଅନୁଯାୟୀ ହେବ । ଏଥିôରେ ବିବାହ ପାଇଁ ଉଭୟ ପୁଅ ଓ ଝିଅଙ୍କ ପାଇଁ ସର୍ବନିମ୍ନ ବୟସ ୧୮ ରଖାଯାଇଛି ।

ଏଣିକି ହିନ୍ଦୁ ମହିଳା ବିବାହ ପ୍ରମାଣ ପତ୍ର ପାଇପାରିବେ । ପୂର୍ବରୁ କେବଳ ସିନ୍ଦୁ ପ୍ରଦେଶରେ ସ୍ୱତନ୍ତ୍ର ହିନ୍ଦୁ ବିବାହ ଆଇନ ଥିଲା । ତେବେ  ପାକିସ୍ତାନୀ ହିନ୍ଦୁଙ୍କ ପାଇଁ ପଂଜାବ, ବାଲୁଚିସ୍ତାନ ଆଦି ପ୍ରଦେଶରେ ପ୍ରଥମ ପର୍ସନାଲ ଲ’ ଭାବେ ହିନ୍ଦୁ ମ୍ୟାରେଜ୍ ବିଲ୍ -୨୦୧୭ ଲାଗୁ କରାଯିବ । ଆଗରୁ ହିନ୍ଦୁ ମହିଳାମାନେ ନିଜ ବିବାହକୁ ପ୍ରମାଣ କରିପାରୁନଥିଲେ ।

ବିବାହିତ ମହିଳାଙ୍କୁ ଅପହରଣ କରି ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ ହେଉଥିଲା । ଏହି ଆଇନ, ବିବାହ ପରେ ଧର୍ମ ପରିବର୍ତ୍ତନକୁ ନିରୁତ୍ସାହିତ କରିବା ସହ ହିନ୍ଦୁ ମହିଳାଙ୍କ ସମ୍ମାନ ଓ ଅଧିôକାରକୁ ସୁରକ୍ଷିତ ରଖିବ ବୋଲି ଆଶା କରାଯାଉଛି ।