ପରକୀୟା ପ୍ରୀତିର ବୀଭତ୍ସ ପରିଣତି ! ବିବାହିତ ପ୍ରେମିକାକୁ ଲୁହା ରଡରେ ପିଟି ହତ୍ୟା ଗଲା ପ୍ରେମିକ, ରାଜଧାନୀର ଏକ ଲଜରୁ ମିଳିଲା ମହିଳାଙ୍କ ମୃତଦେହ ।

32

କନକ ବ୍ୟୁରୋ : ବିବାହିତା ପ୍ରେମିକାକୁ ହତ୍ୟାକଲା ପ୍ରେମିକ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ରସୁଲଗଡରେ ଥିବା ହାଇୱେ ଇନ୍ ଲଜରେ । ଅଭିଯୁକ୍ତ ପ୍ରେମିକା ଫେରାର ଥିବା ବେଳେ ପୋଲିସ ଲଜ୍ ରୁମ ଭିତରୁ ମୃତଦେହ ଜବତ କରିଛି । ପୋଲିସକୁ ମିଳଥିିବା ସ୍ମାର୍ଟ ଫୋନ ଅଭିଯୁକ୍ତକୁ ଧରାଇବ ବୋଲି ପୋଲିସ କହିଛି । ତେବେ ହତ୍ୟାକାଣ୍ଡ ପଛରେ ପରକିୟା ପ୍ରୀତି ହିଁ ମୁଖ୍ୟ କାରଣ ବୋଲି ପୋଲିସ ସନ୍ଦେହ କରୁଛି ।

ପରକୀୟା ପ୍ରୀତିର କରୁଣ ପରିଣତି । ଲଜରୁ ମିଳିଲା ବିବାହିତା ପ୍ରେମିକାଙ୍କ ମୃତଦେହ । ପ୍ରେମିକାକୁ ହତ୍ୟା କରି ଚମ୍ପଟ ମାରିଲା ପ୍ରେମିକ । ରୁମ ନମ୍ବର – ୧୨୧ । ଏହି ରୁମରୁ ମିଳିଲା ବିବାହିତା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ପାଖରେ ପଡ଼ିଥିଲା ଲୁହା ପାଇପ୍ । ଏହି ଦୃଶ୍ୟକୁ ଦେଖିବା ପରେ ସହଜରେ ଅନୁମାନ କରି ହେଉଥିଲା କେହି ଅତି ନୃଂଶସ ଭାବେ ମାଡ ମାରି ହତ୍ୟା କରିଛି । ମୃତକ ଜଣଙ୍କ ହେଉଛନ୍ତି ଗଡଖୋର୍ଦ୍ଧାର ଲକ୍ଷ୍ମୀପ୍ରିୟା ବିଶ୍ୱାଳ । ଖଟକୁ ଲାଗି ତଳେ ପଡିରହିଥିଲା ଲକ୍ଷ୍ମୀଙ୍କ ମୃତଦେହ । କପାଳ ଏବଂ ମୁଣ୍ଡର ପଛପଟରେ ଲାଗିଛି ଗଭୀର ଆଘାତ । ରକ୍ତରେ ଗାଧୋଇ ପଡ଼ିଛି ମୃତଦେହ । ଲୁହା ପାଇପରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ଘଟଣାସ୍ଥଳରୁ ସାଇଣ୍ଟିଫିକ ଏଭିଡେନ୍ସ, ଲୁହା ପାଇପ ଏବଂ ସ୍ମାର୍ଟ ଫୋନକୁ ଜବତ କରି ପୋଲିସ ଅନୁସନ୍ଧାନ କରୁଛି ।

ଅଭିଯୁକ୍ତ ଆଦିତ୍ୟ ମହାପାତ୍ର । ଯାହାଙ୍କ ଘର ପୁରୀ ଦୋଳମଣ୍ଡପ ସାହିରେ । ପ୍ରେମିକାକୁ ହତ୍ୟା କରି ଫେରାର ହୋଇ ଯାଇଛି ଅଭିଯୁକ୍ତ । ହେଲେ ଅଭିଯୁକ୍ତର ଆଧାର କାର୍ଡ ପାଇବା ପରେ ପୋଲିସକୁ ମିଳିଯାଇଛି ବଡ଼ ସୁରାକ । ନିଜ ବିବାହିତା ପ୍ରେମିକାକୁ ହତ୍ୟା କରି ଚମ୍ପଟ ମାରିଥିବା ସଂଦେହ କରୁଛି ପୋଲିସ । ଗତ ୨୨ତାରିଖ ସନ୍ଧ୍ୟା ସାଢେ ୬ଟାରେ ପ୍ରେମିକା ସହ ହାଇ ୱେ ଇନ ଲଜକୁ ଆସିଥିଲା ଆଦିତ୍ୟ ମହାପାତ୍ର । ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ଲଜରେ ରହିଥିଲେ ଦୁଇଜଣ । ଗତକାଲି ଦିନରେ ସପିଂ କରିସାରିବା ପରେ ଦୁହେଁ ଫେରିଥିଲେ ଲଜକୁ । ସନ୍ଧ୍ୟା ୭ଟା ବେଳେ ଆଦିତ୍ୟକୁ ରୁମ୍ ରେଂଟ୍ ମାଗିଥିଲା ଲଜ୍ ମ୍ୟାନେଜର । ସ୍ତ୍ରୀ ରୁମରେ ଅଛି ଏବଂ ଏଟିଏମରୁ ଟଙ୍କା ଆଣି ଆସୁଛି କହି ଫେରାର ହୋଇଯାଇଥିଲା ଆଦିତ୍ୟ । ତେବେ ବାହାରୁ ଲକ୍ ପଡ଼ିଥିବା ଦେଖି ଲଜ୍ ମ୍ୟାନେଜର ପୋଲିସକୁ ଖବର ଦେବାରୁ ସାମ୍ନାକୁ ଆସିଥିଲା ଏହି ଘଟଣା ।

ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଗୁରୁବାର ସନ୍ଧ୍ୟାରେ ଲଜ ରୁମ ଭିତରେ ଘଟିଥିଲା କଣ? ନିଜ ବିବାହିତ ପ୍ରେମିକାକୁ କାହିଁକି ହତ୍ୟା କଲା ଆଦିତ୍ୟ?ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କି? ତେବେ ପ୍ରେମିକାଙ୍କ ସ୍ମାର୍ଟଫୋନ ପୋଲିସ ପାଇଁ ସବୁଠୁ ବଡ ଅସ୍ତ୍ର ହୋଇଛି । କମିସନରେଟ୍ ପୋଲିସ ଆଶା କରୁଛି ଏହି ଫୋନ ହିଁ ଖୋଲିବ ମର୍ଡର ମିଷ୍ଟ୍ରିର ଗୁମର ।