ବରଯାତ୍ରୀଙ୍କ ବାଟ ଓଗାଳିଲା ପୁଲିସ ! ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ୫ଟି ରାସ୍ତାରେ ବର ଶୋଭାଯାତ୍ରା ଉପରେ କଟକଣା

33

କନକ ବ୍ୟୁରୋ : ରାଜଧାନୀର ଏହି ପାଂଚଟି ମୁଖ୍ୟ ରାସ୍ତାରେ ଆଉ ନାଚି ପାରିବେନି ବରଯାତ୍ରୀ । ଫେବୃଆରୀ ୧ ରୁ ଏସବୁ ରାସ୍ତାରେ ବରଯାତ୍ରୀ ଉପରେ କଟକଣା ଲଗାଇଛି କମିଶନରେଟ୍ ପୋଲିସ । ବଢୁଥିବା ଜନସଂଖ୍ୟା ସହ ଟ୍ରାଫିକ ସମସ୍ୟା ପାଇଁ ଲାଗୁ ହୋଇଛି ଏହି କଟକଣା । ଏସବୁ ରାସ୍ତା କଡରେ ଥିବା ବିବାହ ମଣ୍ଡପକୁ ବରଯାତ୍ରୀ ନେବାକୁ ହେଲେ ଏଣିକି ସହର ମଝିଦେଇ ଯିବାକୁ ହେବ । ନ୍ୟୁ ଏୟାରପୋର୍ଟରୁ ଏଜି ଦେଇ ଆଚାର୍ଯ୍ୟ ବିହାର ,ରାଜଭବନ ଛକରୁ କିଟ୍ ଛକ ,କଳ୍ପନା ଛକରୁ ଏଜି ଦେଇ ରାଜଭବନ ଛକ ,ବାଣୀବିହାରରୁ ଶିଶୁଭବନ ଛକ ଓ ରସୁଲଗଡରୁ ରବି ଟକିଜ୍ ଛକ ଆଦି ସ୍ଥାନରେ ନିଷେଧ ହୋଇଛି ବାହାଘର ଶୋଭାଯାତ୍ରା ।କିଏ ୬ ମାସ ତ କିଏ ପାଖାପାଖି ବର୍ଷେ ହେବ ମଣ୍ଡପ ବୁକିଂ କରିଛନ୍ତି । ବାରାତର ରୁଟ୍ ବି ଫାଇନାଲ ହୋଇଯାଇଛି । ହେଲେ ଏବେ ଚିନ୍ତା ଘାରିଛି ମଣ୍ଡପକୁ କେମିତି ଯିବ ବରଯାତ୍ରୀ ? ବିଏମସି ମଣ୍ଡପ ସମେତ ଅନେକ କଲ୍ୟାଣ ମଣ୍ଡପ କମିଶନରେଟ୍ ପୋଲିସ କଟକଣା ଲଗାଇଥିବା ରାସ୍ତା କଡରେ ଆସୁଛି । କଟକଣା ପରେ ଏଣିକି କେଉଁ ରୁଟ୍ରେ ବରଯାତ୍ରୀ ଯିବେ, ତାହା ବଡ ସମସ୍ୟା । କମିଶନରେଟ୍ ପୋଲିସ ଟ୍ରାଫିକକୁ ଆଳ କରୁଥିବା ବେଳେ ଗଳି ଦେଇ ବରଯାତ୍ରୀ ଗଲେ ତାହା ଲୋକଙ୍କ ପାଇଁ ଆହୁରି ସମସ୍ୟା ସୃଷ୍ଟି କରିବା ସମ୍ଭାବନା ରହିଛି ।

ଆଗକୁ ବିବାହ ଋତୁ । ବିକଳ୍ପ ରାସ୍ତା କରାଯାଇନି । ହେଲେ ବରଯାତ୍ରୀ ପାଇଁ ହଠାତ୍ କଟକଣା ଲାଗୁ କରିଛି କମିସନରେଟ୍ ପୋଲିସ୍ । ଯାହା ଲୋକଙ୍କ ପାଇଁ ଚିନ୍ତା ବଢାଇଦେଇଛି ।