ଅଧା ବାଟରେ ଅଟକିଲା ବର । ଗୋଟିଏ ରାତି ପାଇଁ ମଙ୍ଗୁଳା ରହିଲା କନିଆ, ବରଯାତ୍ରୀଙ୍କ ଗାଡିକୁ ସାଇଟ ମରାକୁ ନେଇ ଗଣ୍ଡଗୋଳ ପରେ ପୂର୍ବତନ ସରପଞ୍ଚ ଗିରଫ ।

304

କନକ ବ୍ୟୁରୋ : ନେତା ଅଟକାଇଲେ ବାହାଘର । ପୂର୍ବତନ ସରପଞ୍ଚଙ୍କ ଦାଦାଗିରି ଯୋଗୁଁ ଗୋଟିଏ ରାତି ଅଟକି ଗଲା ବାହାଘର । ରାତି ୧୦ରୁ ଦିନ ୧୧ଟା ଯାଏଁ ବର ଓ ବରଯାତ୍ରୀଙ୍କୁ ଅଟକ ରଖିଲେ ନେତାଙ୍କ ସମର୍ଥକ । ମଙ୍ଗୁଳା ହୋଇ ବର ବାଟକୁ ଅପେକ୍ଷା କରି ରହିଲା କନିଆ । ଏମିତି ଏକ ଖବର ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ଅଂଚଳରୁ ।

ସୂଚନା ଅନୁସାରେ ବ୍ରହ୍ନଗିରି ବ୍ଲକ କାଣ୍ଡଗୋଦାପଲ୍ଲୀ ଗାଁର ଲକ୍ଷ୍ମୀଧର ବାରିକଙ୍କ ପୁଅ ମିଟୁନ୍ ବାରିକ ବିହାର ପାଇଁ ଗତକାଲି ଡେଲାଙ୍ଗ ବ୍ଲକ ଜେନାପୁର ପଂଚାୟତ ଚିତଲପୁର ତନ୍ତସାହିର କୈଳାସ ବାରିକଙ୍କ ଘରକୁ ଆସୁଥିଲେ । ଗତକାଲି କୈଳାସଙ୍କ ସାନ ଝିଅ ଜଲିଙ୍କ ସହ ମିଟନଙ୍କ ବିବାହ ତିଥି ସ୍ଥିର ହୋଇଥିଲା । ଏବଂ ବାହାଘର ପାଇଁ ବରଯାତ୍ରୀ ଧରି ଚିତଲପୁର ତନ୍ତସାହି ଆସୁଥିଲେ ମିଟୁନ୍ । ହେଲେ ବରଯାତ୍ରୀ ପ୍ରୋସେସନ୍ ଯିବା ସମୟରେ ଜେନାପୁରର ପୂର୍ବତନ ସରପଂଚ ପ୍ରତାପ ସ୍ୱାଇଁଙ୍କ ଗାଡି ବରଯାତ୍ରାଙ୍କ ଗାଡିକୁ ସାଇଡ୍ ମାଗିଥିଲା । ହେଲେ ବରଯାତ୍ରା ଗାଡି ସାଇଡ ନଦେବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଅଭିଯୋଗ ଅନୁସାରେ ପ୍ରତାପ ସ୍ୱାଇଁଙ୍କ ଗାଡିର ଡ୍ରାଇଭର ପ୍ରଥମେ ବରଯାତ୍ରୀଙ୍କୁ ଆକ୍ରମଣ କରିଥିଲେ । ପୂର୍ବତନ ସରପଞ୍ଚଙ୍କ ସମର୍ଥକମାନେ ମାରଣାସ୍ତ୍ର ଧରି ବରଗାଡି ଓ ବରଯାତ୍ରୀଙ୍କୁ ଭୟଭିତ କରି ଗୋଟିଏ ଘରେ ପୁରାଇ ଅଟକ ରଖିଥିଲେ । ଏନେଇ ଆଜି ସକାଳ ୧୧ଟାରେ ଡେଲାଙ୍ଗ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତୁରନ୍ତ ବର ଓ ବରଯାତ୍ରୀଙ୍କୁ ଉଦ୍ଧାର କରି ବାହାଘର ପାଇଁ ପଠାଇଥିଲେ । ପରେ ଅଭିଯୁକ୍ତ ସରପଂଚ ପ୍ରତାପ ସ୍ୱାଇଁଙ୍କୁ ଗିରଫ କରିବା ସହ ମାରଣାସ୍ତ୍ର ଜବତ କରିଛି । ଏହାସହ ପ୍ରତାପଙ୍କ ବେଆଇନ୍ କରତ କଳରେ ଚଢାଉ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଡେଲାଙ୍ଗ ଆଇଆଇସି ରଶ୍ମୀ ରଂଜନ ପଟ୍ଟନାୟକ କହିଛନ୍ତି ।

Comments are closed.