ପ୍ରେମକୁ ଅଟକାଇ ପାରିଲାନି ଜେଲ : ସ୍ୱଧାର ଗୃହରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀ ଯୁଗଳ

981

କନକ ବ୍ୟୁରୋ : ପ୍ରେମକୁ ନେଇ ଅନେକ କାହାଣୀ, ଅନେକ କବିତା । କିନ୍ତୁ ଆଜି ଆମେ ଏମିତି ଏକ ପ୍ରେମ କାହାଣୀ ଆପଣଙ୍କ ସାମ୍ନାରେ ରଖିବୁ ଯାହା ଜାଣିଲେ ଆପଣ ବି କହିବେ, ପ୍ରେମ ଅସମ୍ଭବକୁ ସମ୍ଭବ କରାଇବାରେ ସକ୍ଷମ । ଯେମିତି ବଲାଙ୍ଗୀର ସ୍ୱଧାର ଗୃହରେ ହୋଇଥିବା ପ୍ରେମ ବିବାହ । ଜେଲ ଅଟକାଇ ପାରିନି ପ୍ରେମିକକୁ ପ୍ରେମିକାର ହାତ ଧରି ସାରା ଜୀବନ ବାଟ ଚାଲିବାକୁ । ଜାଣନ୍ତୁ ସ୍ୱଧାର ଗୃହରେ ନିଆରା ପ୍ରେମ ବିବାହ ।

ପ୍ରେମ ପାଇଁ ଘର ଛାଡି ଫେରାର ହୋଇଥିବା କଲ୍ୟାଣୀ ଶେଷରେ ପ୍ରେମିକ ଦିନେଶଙ୍କ ହାତ ଧରିଛନ୍ତି । ପ୍ରେମକୁ ଅଟକାଇ ପାରିଲେନି ପରିବାର ଲୋକ, କି ଜେଲ । ବାଜାବାଣର ରୋଷଣୀ କରି ବରଯାତ୍ରୀ ଧରି ବଲାଙ୍ଗିର ସ୍ୱାଧାର ଗୃହରେ ପହଂଚିଥିଲେ ୨୦୧୬ ମସିହାରୁ ଜେଲରେ ଥିବା ବଲାଙ୍ଗିର ଅଙ୍କରିଆପଦର ଗାଁର ଦିନେଶ । ଏପଟେ ୪ ବର୍ଷ ହେବ ସ୍ୱଧାର ଗୃହରେ ରହି ପ୍ରେମିକଙ୍କ ସହ ଘର ସଂସାର କରିବା ପାଇଁ ଅପେକ୍ଷା କରିଥିବା କଲ୍ୟାଣୀ କନିଆ ବେଶରେ ସଜେଇ ହୋଇ ବସିଥାନ୍ତି । ବର ପହଂଚିବା ପରେ ସ୍ୱଧାର ଗୃହରେ ସଂପୂର୍ଣ୍ଣ ରୀତିନୀତିରେ ବିବାହ କାର୍ଯ୍ୟ ସମାପନ ହୋଇଛି । ଆଉ ଏହି ନିଆରା ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

୪ ବର୍ଷ ତଳେ ଦିନେଶ ଓ କଲ୍ୟାଣୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଏହି ପ୍ରେମକୁ ଉଭୟଙ୍କ ପରିବାର ଲୋକ ଅସ୍ୱୀକାର କରିବାରୁ ଦୁହେଁ ଗାଁ ଛାଡି ପଳାଇ ଯାଇଥିଲେ । ସେତେବେଳେ କଲ୍ୟାଣୀ ନାବାଳିକା ଥିବାରୁ ତାଙ୍କ ପରିବାରର ଅଭିଯୋଗ କ୍ରମେ ଉଭୟଙ୍କୁ ଧରିଥିଲା ପୁଲିସ । ନାବାଳିକାଙ୍କୁ ବଲାଙ୍ଗିର ସାଲେପାଲି ସ୍ଥିତ ସ୍ୱାଧାର ଗୃହକୁ ପଠାଇବା ସହ ଦିନେଶଙ୍କୁ ଜେଲ ପଠାଇ ଦେଇଥିଲା ପୁଲିସ । ଏବେ ନାବାଳିକା କଲ୍ୟାଣୀ ସାବାଳିକା ହେବା ପରେ ଦିନେଶଙ୍କୁ ଜୀବନ ସାଥୀ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଶେଷରେ ସମାଜ ମଙ୍ଗଳ ବିଭାଗ, ସିଡବ୍ଲୁସି ଓ ପ୍ରଶାସନ ଉଦ୍ୟମରେ ବିବାହ ସଂପନ୍ନ ହୋଇଛି ।

ଦିନେ ଯେଉଁ ପ୍ରେମିକା ପାଇଁ ଦିନେଶଙ୍କୁ ଜେଲ ଯିବାକୁ ପଡିଥିଲା ୪ ବର୍ଷ ପରେ ସେହି ପ୍ରେମିକାଙ୍କ ହାତ ଧରିଛନ୍ତି ଦିନେଶ । ପ୍ରେମିକାକୁ ଜୀବନ ସାଥି ପାଇବା ପରେ ୪ ବର୍ଷ ଭିତରେ ଜେଲରେ କାଟିଥିବା କଷ୍ଟକୁ ଭୁଲି ଯାଇଛନ୍ତି ଦିନେଶ ।