ପୋଡା ପାଉଁଶ ତଳୁ ନୂଆ ଜୀବନ ଆରମ୍ଭ । ନିଆଁ ଗିଳି ଦେଇଥିଲା ସ୍ୱପ୍ନ । ଲିଭି ଯାଉଥିବା ଆଶାର ଦୀପରେ ସାହାଯ୍ୟର ସଳିତା ସାଜିଲେ, ଭାରତୀଙ୍କୁ ବାହାବେଦୀରେ ବସାଇଲେ ସ୍ୱେଚ୍ଛାସେବୀ ।

300

କନକ ବ୍ୟୁରୋ: ବାହା ବେଦୀରେ ବସିଲା ଭାରତୀ । ସଜାଡି ହେଲା ପୋଡି ଯାଇଥିବା ସ୍ୱପ୍ନ । ଏଗାର ଦିନ ତଳେ ଏଇ ନିଆଁ ସବୁକିଛି ଉଜାଡି ଦେଇଥିଲା । ଭୟଙ୍କର ନିଆଁ ଭାଙ୍ଗି ଦେଇଥିଲା ଭାରତୀର ସ୍ୱପ୍ନ । ପୋଡା ପାଉଁଶ ଭିତରେ ପୋତି ଯାଇଥିଲା ନୂଆ ଜୀବନର ଆଶା । ନିଆଁର ଝୁଲ ହୋଇ ସିନା ସେଦିନ ଝିଅର ସ୍ୱପ୍ନ ଆକାଶକୁ ଉଡିଯାଇଥିଲା ହେଲେ ଆଜି ଘର ଅଗଣାରେ ଝୋଟି ହୋଇ ଅଙ୍କା ହୋଇଛି ଭାରତୀର ଅସୁମାରୀ ଆଶା । ନୂଆ ବନ୍ଧନ ପାଇଁ ବନ୍ଧା ହୋଇଛି ବାହା ବେଦୀ ।

ବାଜା ବାଜୁଛି, ସାହାନାଈ ଶୁଭୁଛି । ବରକନ୍ୟାଙ୍କ ପାଇଁ ବେଦୀ ସଜା ହେଉଛି ଆଉ ଗେଟରେ ଲେଖା ହୋଇଛି ଭାରତୀ ୱେଡ୍ସ ଅକ୍ଷୟ । ଢେଙ୍କାନାଳ ବାଉଁଶକଣ ଗାଁର ଭାରତୀ ପ୍ରଧାନ, ବାହାଘର ପାଇଁ ବରର ଆସିବା ବାଟକୁ ଚାହିଁ ବସିଛି । ଏ ଭାରତୀ ସେହି ଝିଅ ଯାହା ନିର୍ବନ୍ଧ ପରେ ନିଆଁ ଆଁରେ ସବୁକିଛି ଭସ୍ମ ହୋଇଥିଲା । ବାହାଘର ପାଇଁ ସାଇତି ରଖିଥିବା ସବୁ ସାମଗ୍ରୀ ଜଳିପୋଡି ଛାରଖାର ହୋଇ ଯାଇଥିଲା । ସୁନା ଗହଣାଠୁ ଆରମ୍ଭ କରି ଲୁଗାପଟା ସବୁକିଛି ପାଉଁଶ ପାଲଟିଥିଲା । ଆଉ ଭାରତୀର ବାହାଘର ସ୍ୱପ୍ନ ବି ନିଆଁର ଧାସରେ ଧୂଳିସାତ ହୋଇଥିଲା ।

ଘରର ସର୍ବସ୍ୱ ମାଟିରେ ମିଶିଯିବା ପରେ ଝିଅ ବାହାଘର ପାଇଁ ବାପାମାଆଙ୍କ ମୁଣ୍ଡରେ ଚଡକ ପଡିଥିଲା । ତେବେ ଭାରତୀଙ୍କ କରୁଣ କାହାଣୀ କନକ ନ୍ୟୁଜରେ ପ୍ରସାରଣ ପରେ ତାଙ୍କ ପାଖକୁ ଛୁଟିଥିଲା ସହାୟତାର ସୁଅ । ଖୋର୍ଦ୍ଧାର ଲକ୍ଷେଶ୍ୱର ମହାଦେବ ବଡ ସିଂହାର ସେବା ସମିତି, ଭୁବନ ତୃପ୍ତି ପାଠାଗାର, ଢେଙ୍କାନାଳ ସାଂସଦଙ୍କ ସମେତ ଜିଲ୍ଲା ପ୍ରଶାସନ ଭାରତୀଙ୍କ ବାହାଘରର ସବୁ ଦାୟିତ୍ୱ ନେଇଥିଲା ।

ତେବେ ବାହାଘରର ସବୁ ଖର୍ଚ୍ଚ ଉଠାଇଥିଲେ ଏମାନେ । ବେଦୀ ସଜାଠୁ ଆରମ୍ଭ କରି ବାଜାମହୁରୀ ଯାଏଁ, ବାହାଘର ଭୋଜିଠୁ ନେଇ ଝିଅର ଭାର ଯାଏଁ ସବୁକିଛିର ଖର୍ଚ୍ଚ ବହନ କରିଥିଲେ ଏହି ସହୃଦୟ ବ୍ୟକ୍ତିମାନେ ।

ଭୟଙ୍କର ନିଆଁ ଭାରତୀଙ୍କ ଆଖିରୁ ଯେଉଁ ସ୍ୱପ୍ନ ଛଡାଇ ନେଇଥିଲା ସହଯୋଗ ପରେ ସେସବୁ ସତ ହୋଇଛି । ସ୍ଥିର ହୋଇଥିବା ତାରିଖରେ ହିଁ ବିବାହ ହୋଇଛି । ଆଉ ବାଜାବାଣ ଫୁଟାଇ, ସିନ୍ଥିରେ ସିନ୍ଦୂର ଦେଇ ଭାରତୀଙ୍କୁ ସାତ ଜନମର ସାଥୀ କରିଛନ୍ତି ଅକ୍ଷୟ । ତେବେ ସଙ୍ଘର୍ଷ ଆଉ ସହଯୋଗରେ ସଫଳ ହୋଇଥିବା ଭାରତୀଙ୍କ ବିବାହ ସ୍ମରଣୀୟ ହୋଇ ରହିବ ।