ଡାଟା ଲିକ୍ ମାମଲାରେ ଆମେରିକା କଂଗ୍ରେସରେ କ୍ଷମା ମାଗିଲେ ଫେସବୁକ ସିଇଓ ଜୁକରବର୍ଗ ! ୫ ଘଂଟା ଧରି ଚାଲିଲା ଜେରା, ନିର୍ବାଚନ ପ୍ରଭାବିତ ହେବ ନାହିଁ ବୋଲି ଭାରତକୁ ଦେଲେ ଭରସା

27

କନକ ବ୍ୟୁରୋ : ଡାଟା ଲିକ୍ ମାମଲାରେ ଫେସବୁକର ସିଇଓ ଜୁକରବର୍ଗ ଆମେରିକା କଂଗ୍ରେସ ଆଗରେ କ୍ଷମା ମାଗିଛନ୍ତି । ଆମେରିକା କଂଗ୍ରେସରେ ୪୪ଜଣ ସିନେଟର, ଜୁକରବର୍ଗଙ୍କୁ ୫ ଘଂଟା ଧରି ଜେରା କରିଥିଲେ । ଜେରା ବେଳେ କିଛି ସ୍ଥାନରେ ହଡବଡେଇ ଯାଇଥିଲେ ମାର୍କ । ଏହାସହ ଜୁକରବର୍ଗ ଭାରତକୁ ଭରସା ଦେଇଛନ୍ତି ଯେ, ୨୦୧୯ ନିର୍ବାଚନକୁ ଫେସବୁକ୍ ମାଧ୍ୟମରେ ପ୍ରଭାବିତ ହେବାକୁ ଦେବେ ନାହିଁ ।

ଭାରତରେ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଫେସବୁକକୁ ଦିଆଯିବନାହିଁ । ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା କହିଲେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ । ଆମେରିକା କଂଗ୍ରେସରେ ଡାଟା ଲିକ୍ ନେଇ କ୍ଷମାପ୍ରାର୍ଥନା କରିଛନ୍ତି ଜୁକରବର୍ଗ । ଏ ନେଇ ନ୍ୟସ୍ତ ଦାୟିତ୍ୱକୁ ଗୁରୁତର ସହ ନ ନେବା ସବୁଠୁ ବଡ଼ ଭୁଲ ଥିବା ଜୁକରବର୍ଗ କହିଥିଲେ । ଆମେରିକା କଂଗ୍ରେସରେ ଜୁକରବର୍ଗଙ୍କୁ ୫ଘଂଟା ଜେରା ହୋଇଥିଲା ଓ ୪୪ଜଣ ସିନେଟର କରିଥିଲେ ପ୍ରଶ୍ନ ।

mark jukerberg

ପୂର୍ବରୁ କେମ୍ବ୍ରିଜ୍ ଆନାଲିଟିକା ଭଳି କମ୍ପାନୀ ଜରିଆରେ ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଇ ରାଜନୈତିକ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଉଥିବାର ଅଭିଯୋଗ କରାଯାଇଥିଲା । ଏହାକୁ ନେଇ ଦେଶର ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ପରସ୍ପର ଉପରେ ଦୋଷାରୋପ ମଧ୍ୟ କରିଥିଲେ । ଏହି ଘଟଣାରେ ପୂର୍ବରୁ ଦୋଷ ସ୍ୱୀକାର କରିଥିଲେ ଜୁକରବର୍ଗ । ଏବେ ଆମେରିକା କଂଗ୍ରେସରେ ମାଗିଛନ୍ତି ଭୁଲ୍ । ଆଗକୁ ତଥ୍ୟ ଚୋରିକୁ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ନେବ ଫେସବୁକ୍ । ଏ ନେଇ ଆମେରିକା କଂଗ୍ରେସକୁ ପ୍ରତିଶ୍ରୁତି ଦେଇଛନ୍ତି ଫେସବୁକ ମୁଖ୍ୟ ଜୁକରବର୍ଗ ।