ସମୁଦ୍ରରେ ସନ୍ଦେହ ଜନକ ଜାହାଜକୁ ଚିହ୍ନଟ କରିବ ଇସ୍ରୋ ସାଟେଲାଇଟ୍ ! ସ୍ୱୟଂ ଚିହ୍ନଟ ପ୍ରକ୍ରିୟାରେ ରଖିବ ନଜର

39

କନକ ବ୍ୟୁରୋ: ୨୬/୧୧ ମୁମ୍ବାଇ ହମଲାକୁ ଆସନ୍ତାକାଲି ପୁରୁଛି ୯ ବର୍ଷ । ଆଗକୁ ଏଭଳି ଆତଙ୍କବାଦୀ ହମଲା ରୋକିବାକୁ ଭାରତ ସାମୁଦ୍ରିକ ସୀମାରେ ସୁରକ୍ଷା କଡା କରିଛି । ଭାରତର ଉପକୂଳ ଓ ସମୁଦ୍ର ପଥର ସୁରକ୍ଷା ପାଇଁ ସହଯୋଗ କରିବ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ । ତଟୀୟ ସୁରକ୍ଷାକର୍ମୀ ଓ ଏଜେନ୍ସିଙ୍କୁ ସାଟେଲାଇଟରୁ ଫଟୋ ପଠାଇ ସନ୍ଦିଗ୍ଧ ଜାହାଜକୁ ଠାବ ଓ ଜବତ କରିବା ପାଇଁ ଇସ୍ରୋ ସାହାଯ୍ୟ କରିବ । ୨୬/୧୧ ମୁମ୍ବାଇ ହମଲା ଭଳି ଆକ୍ରମଣ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛି କେନ୍ଦ୍ର ଗୃହମନ୍ତ୍ରାଳୟ ।ଅଟୋମେଟିକ ଆଇଡେଂଟିଫିକେସନ ସିଷ୍ଟମ ଜରିଆରେ ୨୦ ମିଟରରୁ ବଡ ବୋଟ ଉପରେ ନଜର ରଖାଯିବ । ସେହିପରି ୨୦ ମିଟରରୁ ଛୋଟ ବୋଟ ଉପରେ ସେଟେସଲାଇଟ ଜରିଆରେ ମନିଟରିଂ କରାଯିବାର ପ୍ରସ୍ତାବ ରହିଛି ।

ସୂଚନା ମୁତାବକ, ଭାରତୀୟ ଉପକୂଳରେ ପହଞ୍ଚୁଥିବା ସନ୍ଦେହଜନକ ପୋତଗୁଡ଼ିକର ଗତିବିଧି ଉପରେ କଡ଼ା ଦୃଷ୍ଟି ରଖିବାକୁ ଆବଶ୍ୟକ ଉପକରଣ ସବୁ ବିଭିନ୍ନ ଆଡ଼େ ଲଗା ଗଲାଣି । ଏଥିପାଇଁ ୪୬ ଉପକୂଳବର୍ତ୍ତୀ ରାଡାର୍ ଏବଂ ୭୪ଟି ସ୍ୱୟଂଚାଳିତ ଆଇଡି ସିଷ୍ଟମ୍ ବସା ଯାଇଛି । ଉପକୂଳବର୍ତ୍ତୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସବୁ ଡଙ୍ଗାର କଲର୍ କୋଡିଙ୍ଗ୍ କରୁଛନ୍ତି । ତାହା ଦ୍ୱାରା ଦୂର ସମୁଦ୍ର ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ସୀମାରେଖା ଉପରେ ସହଜରେ ଦୃଷ୍ଟି ଦେଇ ହେବ।

ନିରାପତ୍ତା ଅବ୍ୟବସ୍ଥା ଯୋଗୁଁ ୨୦୦୮ ମୁମ୍ବାଇ ଆକ୍ରମଣ ସମ୍ଭବ ହୋଇଥିଲା । ସେଥିପାଇଁ ଗୃହମନ୍ତ୍ରାଳୟ ଏଭଳି ପଦକ୍ଷେପ ଗ୍ରହଣ କରିଛି । ଅବ୍ୟବସ୍ଥାର ସୁଯୋଗ ନେଇ ପାକିସ୍ତାନୀ ଆତଙ୍କବାଦୀମାନେ କରାଚି ଉପକୂଳରୁ ମୁମ୍ବାଇ ଉପକୂଳକୁ ଆସି ପାରିଥିଲେ। କରାଚିରୁ ସେମାନେ ଏକ ପାକିସ୍ତାନୀ ପୋତରେ ଆସିବା ପରେ ଏକ ଭାରତୀୟ ମାଛଧରା ଡଙ୍ଗା ଯୋଗେ ମୁମ୍ବାଇକୁ ଆସିଥିଲେ । ତାଜ୍ ହୋଟେଲରେ ଆକ୍ରମଣ କରି ସେମାନେ ୧୬୬ ଜଣ ବ୍ୟକ୍ତିଙ୍କୁ ମାରିଥିଲେ । ନିରାପତ୍ତା ଦୃଷ୍ଟିରୁ ଅଧିକାଂଶ ମତ୍ସ୍ୟଜୀବୀଙ୍କୁ ବାୟୋମାଟ୍ରିକ୍ କାର୍ଡ ଦିଆଯାଇଛି ବୋଲି ଶୁକ୍ରବାର ଦିନ ଗୃହମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି । ୧୯. ୯ ଲକ୍ଷ ମତ୍ସ୍ୟଜୀବଙ୍କ ମଧ୍ୟରୁ ୧୯. ୭ ଲକ୍ଷ ମତ୍ସ୍ୟଜୀବୀଙ୍କୁ ତାଲିକାଭୁକ୍ତ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୮.୬ ଲକ୍ଷ ମତ୍ସ୍ୟଜୀବୀଙ୍କୁ କାର୍ଡ ଦିଆଯାଇଛି ।

ଭାରତରେ ସମୁଦାୟ ୭, ୫୧୬ କିଲୋମିଟର୍ ଲମ୍ବ ସମୁଦ୍ରକୂଳ ରହିଛି । ଏହା ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଏବଂ ଦାମନ ଓ ଡିୟୁ, ଲାକ୍ଷାଦ୍ୱୀପ, ପୁଦ୍ଦୁଚେରୀ, ଆଣ୍ଡାମାନ ଓ ନିକୋବର ଆଦି କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ । ଅନେକ ଗୁଡ଼ିଏ ନୁଉକ୍ଲିୟର୍ ପ୍ଲାଣ୍ଟ୍, ବନ୍ଦର, ନୌସେନା ଘାଟି, ରକେଟ୍ ଉତ୍କ୍ଷେପଣ କେନ୍ଦ୍ର, ତୈଳ ବିଶୋଧନାଗାର ଆଦି ଉପକୂଳରେ ଅବସ୍ଥିତ । ତେଣୁ ଉପକୂଳବର୍ତ୍ତୀ ଏବଂ ସାମୁଦ୍ରିକ ନିରାପତ୍ତା ଅତି ଗୁରୁତ୍ୱପୂର୍ଣ୍ଣ । ୨୦୦୫ ରୁ ୨୦୧୧ ମଧ୍ୟରେ ୬୪୬ କୋଟି ଟଙ୍କାରେ ଇଣ୍ଟେଗ୍ରେଟେଡ୍ କୋଷ୍ଟାଲ୍ ସିକ୍ୟୁରିଟି ସ୍କିମର ପ୍ରଥମ ପର୍ଯ୍ୟାୟ ଲାଗୁ କରାଯାଇଥିଲା । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ସମୁଦାୟ ୧, ୫୮୦ କୋଟି ଟଙ୍କା ଖର୍ଚ୍ଚ ହେବ ।