କନକ ବ୍ୟୁରୋ : ବିଶିଷ୍ଟ ସାମ୍ବାଦିକ ତଥା ‘ଇଣ୍ଡିଆ ଟୁଡେ’ ପତ୍ରିକାର ଉପ ସମ୍ପାଦକ ଉଦୟ ମହୁରକର୍ଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ମାର୍ଚିଂ ଓ୍ଵିଥ୍ ଏ ବିଲିୟନ: ଆନାଲାଇଜିଂ ନରେନ୍ଦ୍ର ମୋଦି ଗଭର୍ଣ୍ଣମେଣ୍ଟ ଆଟ୍ ମିଡ୍ଟର୍ମ’ ରବିବାର ଉନ୍ମୋଚିତ ହୋଇଛି । କେନ୍ଦ୍ରରେ ମୋଦି ସରକାର କିପରି ପ୍ରତିଶ୍ରୁତିବଦ୍ଧତା, ସ୍ୱଚ୍ଛତା ଏବଂ ସୃଜନଶୀଳତା ଦ୍ୱାରା ଉତ୍ତମ ଏବଂ ଜନାଭିମୁଖୀ ସରକାର ଦେଇପାରିଛି, ଲେଖକ ତାହା ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତିି ।
Kanak News is now on WhatsApp
Join and get latest news updates delivered to you via WhatsApp
ହୋଟେଲ ମାରିଅନ୍ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଅନେକ ସଫଳତା ହାସଲ କରିଛି ଏବଂ ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ଆସିଛି । ‘ଉଜ୍ଜ୍ୱଳା’ ଯୋଜନା ଆସିବା ପୂର୍ବରୁ ଦେଶର ୨୭ କୋଟି ପରିବାର ମଧ୍ୟରୁ ୧୪ କୋଟି ପରିବାରଙ୍କ ନିକଟରେ ରନ୍ଧନ ଗ୍ୟାସ୍ ସଂଯୋଗ ଥିଲା। ହେଲେ ଗତ ଅଢ଼େଇ ବର୍ଷରେ ୨ କୋଟି ୭୦ ଲକ୍ଷ ନୂତନ ସଂଯୋଗ ହୋଇଛି । ଡାଲି ଉତ୍ପାଦନରେ ବି ଦେଶ ବହୁ ଆଗେଇଛି । ୨୦୧୪ରେ ଦେଶକୁ ୨୨ ଲକ୍ଷ ମେଟ୍ରିକ ଟନ୍ ଡାଲି ଆବଶ୍ୟକତା ଥିବା ବେଳେ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ହେଉଥିଲା । ଯେଉଁଥିପାଇଁ ଡାଲି କିଲୋ ପିଛା ମୂଲ୍ୟ ୨୦୦ ଟଙ୍କା ଛୁଇଁଥିଲା ।
ଏବର୍ଷ ୨୩ ମେଟ୍ରିକ ଟନ୍ ଉତ୍ପାଦନ ହୋଇଛି। ଶ୍ରୀ ପ୍ରଧାନ ଆହୁରି କହିଲେ ଯେ କେନ୍ଦ୍ର ସରକାର ଓଡ଼ିଶାକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ନବକଳେବର ସମୟରେ ୫୦ କୋଟି ଟଙ୍କା ଦିଆଯାଇଛି । ପାଇକ ବିଦ୍ରୋହର ୨୦୦ ବର୍ଷ ବି ପାଳନ ହେଉଛି । ଗତ ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ୪,୮୦୦ କି.ମି. ଜାତୀୟ ରାଜପଥ ମଞ୍ଜୁର ହୋଇଛି । କେନ୍ଦ୍ର ସରକାରଙ୍କ ତ୍ୱରିତ ନିର୍ଣ୍ଣୟ ଯୋଗୁଁ ଅନେକ ସ୍ଥାନରେ ସଫଳତା ମିଳିପାରିଛି । ଏହାଛଡ଼ା ଏବେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।
ପେଙ୍ଗୁଇନ୍ ପବ୍ଲିସର ଏବଂ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡୋ-ପାସିଫିକ୍ର ମିଳିତ ଅନୁକୂଲ୍ୟରେ ଆୟୋଜିତ ଉତ୍ସବରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଲେ, ସବୁବେଳେ ନିନ୍ଦୁକମାନଙ୍କୁ ଘର ଅଗଣାରେ ସ୍ଥାନ ଦେବା ଉଚିତ। କାରଣ ସେମାନଙ୍କ ଦ୍ୱାରା ହିଁ ବିନା ସାବୁନ୍ ଓ ପାଣିରେ ସ୍ୱଭାବ ନିର୍ମଳ ରହେ । ମୋଦି ଯେ ଜଣେ ଅତ୍ୟନ୍ତ ସଫଳ ମଣିଷ ତାହାକୁ ତାଙ୍କ ନିନ୍ଦୁକମାନେ ବି ସ୍ୱୀକାର କରିବେ। ୟୁପିଏ ସରକାର ସମୟରେ ଏକାଧିକ କ୍ଷମତା କେନ୍ଦ୍ର ରହିବା ଏବଂ ସହଯୋଗୀ ଦଳମାନଙ୍କ ଅହେତୁକ ଚାପ ନୀତି ନିର୍ଣ୍ଣୟ ପ୍ରକ୍ରିୟାକୁ ପ୍ରଭାବିତ କରିଥିଲା ।
ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସବୁବେଳେ ଚୁପ୍ ରହିବା ଫଳରେ ଲୋକେ ପରିବର୍ତନ ଚାହିଁଲେ । ମୋଦି ଏହାର ସୁଯୋଗ ନେଲେ। ଏବେ ସେ ନୂଆ ଭାରତ ନିର୍ମାଣର ସଂକଳ୍ପ ନେଇ ଅର୍ଥନୀତି ଓ ବ୍ୟବସ୍ଥାରେ ଆମୂଳ ପରିବର୍ତନ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ତେବେ ତିନି ବର୍ଷ ମୋଦି ସରକାରର ସଫଳତା ମାପିବା ପାଇଁ ଯଥେଷ୍ଟ ନୁହେଁ। ଅଳ୍ପ ପଥ ଅତିକ୍ରାନ୍ତ, ବହୁ ପଥ ବାକି। ସେ ଆହୁରି କହିଥିଲେ ଯେ, ଏତେ ସଫଳତା ପରେ ମୋଦିଙ୍କ ମୁହଁରେ କଂଗ୍ରେସମୁକ୍ତ ଭାରତ କଥା ଆଦୌ ଶୋଭା ପାଉ ନାହିଁ । ଗଣତନ୍ତ୍ର ପାଇଁ ଏକ ବଳିଷ୍ଠ ବିରୋଧୀ ଦଳ ଏକାନ୍ତ ଆବଶ୍ୟକ ।
ଜେଏନ୍ୟୁର କୁଳସଚିବ ଚିନ୍ତାମଣି ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଏହି ପୁସ୍ତକକୁ ବିଭିନ୍ନ ବର୍ଗର ଲୋକ ଭିନ୍ନ ଭିନ୍ନ ଢଙ୍ଗରେ ପଢ଼ିବେ । ଏହା ରାଜନୀତି ପୁସ୍ତକ ନୁହେଁ କି ଗବେଷଣା ସମ୍ପର୍କିତ ପୁସ୍ତକ ନୁହେଁ । ମୋଦିଙ୍କ ଆତ୍ମଜୀବନୀ ବି ନୁହେଁ । ପାଠ୍ୟପୁସ୍ତକ ହୋଇ ନ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଲାଗି ବେଶ୍ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।
ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏ.ଏସ୍. ନାଇଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଦେବଦାସ ଛୋଟରାୟ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ।
ଲେଖକ ଶ୍ରୀ ମହୁରକର୍ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି କହିଲେ, ମୋଦି ସରକାର ଆସିବା ପରେ କମ୍ ଦାମ୍ରେ ରନ୍ଧନ ଗ୍ୟାସ୍ ପ୍ରଦାନ, ମାଇଁ ଗଭ୍ ପୋର୍ଟାଲ୍, ସବୁଜ ଶକ୍ତି ଉତ୍ପାଦନ, ତୈଳ ଏବଂ ଗ୍ୟାସ୍ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରି ୩୭ କମ୍ପାନିକୁ ୩୧ଟି ତୈଳ ଭଣ୍ଡାର ନିଲାମ କରାଯାଇଛି । ମୋଦି ଏପରି ଜଣେ ପ୍ରଧାନମନ୍ତ୍ରୀ ଯେ କି ଦେଶର ୬୮୮ ଜିଲ୍ଲାରୁ ୪୫୦ ଜିଲ୍ଲା ପରିଦର୍ଶନ କରିଛନ୍ତି ବୋଲି ସେ କହିଥିଲେ ।