ତେଜିଲା ମରାଠା ଆରକ୍ଷଣ ଆନ୍ଦୋଳନ : ବିକ୍ଷୋଭକାରୀଙ୍କ ଆତ୍ମହତ୍ୟା ପରେ ଆଜି ମହାରାଷ୍ଟ୍ରରେ ମରାଠା କ୍ରାନ୍ତି ମୋର୍ଚ୍ଚାର ବନ୍ଦ ଡାକରା

29

କନକ ବ୍ୟୁରୋ : କୋଟାକୁ ନେଇ ଆଜି ମହାରାଷ୍ଟ୍ରରେ ଜଳିଛି ନିଆଁ । ସରକାରୀ ଚାକିରି କ୍ଷେତ୍ରରେ ମରାଠାଙ୍କ ପାଇଁ ଆରକ୍ଷଣ ଦାବିରେ ଆଜି ଜଳିଛି ମହାରାଷ୍ଟ୍ରର ବିଭିନ୍ନ ସହର । ମରାଠା କ୍ରାନ୍ତି ମୋର୍ଚ୍ଚାର ବନ୍ଦ୍ ଡାକରାରେ ମରାଠାମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହ ହିଂସା ଭିଆଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କେତେକ ସ୍ଥାନରେ ଇଂଟରନେଟ ସେବାକୁ ବନ୍ଦ କରାଯାଇଥିଲା । ତେବେ ଔରଙ୍ଗାବାଦ୍ ଓ ମରାଠାୱାଡାରେ ଆନ୍ଦୋଳନର ବେଶି ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦ ଡାକରା ଯୋଗୁଁ ସ୍କୁଲ କଲେଜ ସବୁ ବନ୍ଦ ରହିଛି ।

ସହରର ବିଭିନ୍ନ ସ୍ଥାନରେ ପୋଡାଜଳା ହୋଇଛି । ସେପଟେ ଏହି ଆନ୍ଦୋଳନ ଉଗ୍ର ରୂପ ନେଉଥିବାରୁ ଔରଙ୍ଗାବାଦରେ ପ୍ରଶାସନର ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଥିଲା । ଅନ୍ୟପଟେ ଏହି ବନ୍ଦ ଯୋଗୁଁ ଔରଙ୍ଗାବାଦ-ପୁଣେ ରାସ୍ତା ବନ୍ଦ ହେବାରୁ ଜନସାଧାରଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ସେପଟେ ପଣ୍ଡରପୁରରେ ଆୟୋଜିତ ହେଉଥିବା ବାରୀ ନାମକ ଏକ ଧାର୍ମିକ ଯାତ୍ରା ମଧ୍ୟ ଏହି ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି । ଏହି ଯାତ୍ରାରେ ସାମିଲ ହେବାକୁ ଥିବା ବହୁ ଯାତ୍ରୀ ଲାତୁର ବସ୍ ଷ୍ଟପ୍ରେ ଫସିରହିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ ।