ପୋଲିସ ନିକଟରେ ଆତ୍ମସର୍ମପଣ କଲା ହାର୍ଡକୋର ମାଓବାଦୀ ସୋନୁ । ମାଓ ସଙ୍ଗଠନରେ ତୁଲାଉଥିଲା ଡାକ୍ତରର ଭୂମିକା, ମୁଣ୍ଡ ଉପରେ ଥିଲା ଲକ୍ଷାଧିକ ଟଙ୍କାର ପୁରସ୍କାର

233

କନକ ବ୍ୟୁରୋ : ୨୦୦୯ର ନୟାଗଡ ଅସ୍ତ୍ରାଗାର ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ ତଥା ହାର୍ଡକୋର ମାଓବାଦୀ ସୋନୁ ଓରଫ ଡକ୍ଟର ପ୍ରଶାନ୍ତ ଛତିଶଗଡ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଏହି ୨୫ ବର୍ଷିୟ ନକ୍ସଲ ନାଁରେ ଉଭୟ ଛତିଶଗଡ ଓ ଓଡିଶାରେ ୧୨ରୁ ଅଧିକ ମାମଲା ରହିଛି ।

୨୫ ବର୍ଷ ବୟସର ଏହି ଦୁର୍ଦ୍ଦାନ୍ତ ହାର୍ଡକୋର ମାଓବାଦୀ ଛତିଶଗଡ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ୨୦୦୯ ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସକ୍ରିୟ ଭୂମିକା ରହିଥିଲା ସୋନୁ ଓରଫ ଡକ୍ଟର ପ୍ରଶାନ୍ତର । ଉଭୟ ଛତିଶଗଡ ଓ ଓଡିଶାରେ ସୋନୁ ନାଁରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ପ୍ରାୟ ୧୨ଟି ହତ୍ୟାକାଣ୍ଡରେ ସୋନୁ ସଂପୃକ୍ତ ଥିବା ସୂଚନା ଦେଇଛି ଛତିଶଗଡ ପୋଲିସ ।

ମାଓ ସଂଗଠନରେ ଡାକ୍ତର ଭାବେ କାମ କରୁଥିଲା ସୋନୁ ଓରଫ ଡକ୍ଟର ପ୍ରଶାନ୍ତ । ଅସୁସ୍ଥ ଓ ଅହତ ମାଓବାଦୀଙ୍କ ଚିକିତ୍ସା କରୁଥିଲା । ଖାଲି ସେତିକି ନୁହେଁ, ମାଓବାଦୀଙ୍କୁ ଗରିଲା ଯୁଦ୍ଧର ତାଲିମ ମଧ୍ୟ ଦେଉଥିଲା । ପାଖରେ ଏକେ-୪୭ ରଖିଥିବା ବେଳେ ସଂଗଠନରେ ସୋନୁକୁ ମିଳିଥିଲା ଡିଇସି ର୍ୟାଙ୍କ । ପ୍ରଥମେ ବିଜାପୁର-ସୁକମା ଅଂଚଳରେ କାମ କରୁଥିବା ବେଳେ କିଛି ଦିନ ହେଲା ଓଡିଶା କେକେବିଏନ୍ ଏରିଆ କମିଟିର କମାଣ୍ଡର ଦାୟିତ୍ୱରେ ଥିଲା ।

ବିଜାପୁର-ପାମଲବାୟାରେ ସିଆରପିଏଫ ଉପରେ ଆମ୍ବୁସ । ୨୦୦୯ରେ ନୟାଗଡରେ ଟ୍ରେନିଂ ହେଡକ୍ୱାର୍ଟର ଉପରେ ଆକ୍ରମଣ ଏବଂ ଅସ୍ତ୍ରଶସ୍ତ୍ର ଲୁଟ୍, ୨୦୧୮ରେ ସୁଡୁରଗୁଫାରେ ପୋଲିସ- ନକ୍ସଲ ଗୁଳିବିନିମୟରେ ସାମିଲ ଥିଲା ସୋନୁ । ଏବେ ମାଓ ସଂଗଠନରୁ ମୁହଁ ଫେରାଇ ଛତିଶଗଡ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛି ।