ବିଚ୍ଛିନାଂଚଳରେ ଚାଲିଛି ମାଓବାଦୀଙ୍କ ସରକାର ! ପଂଚାୟତ ଭୋଟ୍ ଆଗରୁ ପାଣି ସେପଟେ ଆତଙ୍କର ପରିବେଶ

22

କନକ ବ୍ୟୁରୋ : ବିଚ୍ଛିନ୍ନାଂଚଳରେ ଚାଲିଛି ମାଓବାଦୀଙ୍କ ସରକାର । ପ୍ରଥମେ ୫ ନିର୍ବାଚନ ଅଧିକାରୀଙ୍କୁ ଅପହରଣ ପରେ, ଏବେ ପୁଣି ନିର୍ବାଚନ ବର୍ଜନ କରିବାକୁ ପୋଷ୍ଟର ମାରିଛନ୍ତି ନକ୍ସଲ । ଲାଲ ବାହିନୀର ଧମକ ଓ ଭୟ ଭିତରେ ଲାଲଗଡରେ ଭୋଟ ପଡିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ମାଲକାନଗିରିର ମାଓ ଉପଦୃତ ଅଂଚଳକୁ ନା’ଯାଉଛନ୍ତି ସରକାରୀ ଅଧିକାରୀ, ନା ନାମାଙ୍କନପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ । ଜନତାଙ୍କଠୁ ଆରମ୍ଭ କରି ଜନପ୍ରତିନିଧି ଯାଏଁ ସମସ୍ତଙ୍କୁ ଡରାଇ ରଖିଛନ୍ତି ନକ୍ସଲ ।

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଳରେ ପୁଣି ପୋଷ୍ଟର ମାରିଲେ ମାଓବାଦୀ, ଏବଂ ପଂଚାୟତ ନିର୍ବାଚନ ବର୍ଜନ କରିବାକୁ ଦେଲେ ଚେତାବନୀ । ଲାଲ ବାହିନୀର ଫତୁଆ ନ’ମାନିଲେ ପ୍ରଜାକୋର୍ଟରେ ଦିଆଯିବ ଦଣ୍ଡ । ପ୍ରାର୍ଥୀ ହେଲେ ମୃତ୍ୟୁ ଦଣ୍ଡ ମିଳିବ ଓ ଭୋଟ୍ କାଳି ଲାଗିଥିଲେ ଆଙ୍ଗୁଠି କାଟି ଦିଆଯିବ । ମାଓ ଭୟ ଭିତରେ କେମିତି ରହିଛି ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳରେ ନିର୍ବାଚନୀ ମାହୋଲ ଅନୁସନ୍ଧାନ ପାଇଁ ଗ୍ରାଉଣ୍ଡ ଜିରୋରେ ପହଂଚିଥିଲା କନକ ନ୍ୟୁଜ ଟିମ୍ ।

ଦୀର୍ଘ ୪ ଘଂଟାର ମୋଟର ଲଂଚ ଯାତ୍ରା ପରେ  ଜୋଡାମ୍ବ ପଂଚାୟତରେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିଲେ ମଧ୍ୟ ପଂଚାୟତ କାର୍ଯ୍ୟାଳୟରେ ଝୁଲୁଥିଲା ତାଲା । ନା’ଥିଲେ ପଂଚାୟତ ଅଧିକାରୀ, ନା’ଥିଲା ଆଶାୟୀ ପ୍ରାର୍ଥୀଙ୍କ ଭିଡ । ପଂଚାୟତ ଭୋଟ ପାଇଁ ପୁରା ରାଜ୍ୟ ଉଠୁଥିବା ପଡୁଥିବାବେଳେ ଏଠି ଥିଲା ଅସମ୍ଭବ ନୀରବତା ।

ଗତ ୧୩ ତାରିଖରେ ୫ ନିର୍ବାଚନ ଅଧିକାରୀଙ୍କୁ ଉଠାଇ ନେଇଥିଲେ ମାଓବାଦୀ । ଏହାପରେ ପ୍ରଶାସନ ଏତେ ଭୟbúତ ହୋଇପଡିଛି ଯେ, ବିଚ୍ଛିନ୍ନାଂଚଳର ୯ଟି ପଂଚାୟତରେ ନାମାଙ୍କନପତ୍ର ଗ୍ରହଣ କରିବାକୁ ଆଦୌ ପହଂଚି ନାହାନ୍ତି କୌଣସି ନିର୍ବାଚନ ଅଧିକାରୀ ।

ଜୋଡାମ୍ବ, ପଣଷପୁଟ, ଯନ୍ତ୍ରୀ, ଧୁଳିପୁଟ, ବଡପଦର, ପାପେରମେଟଲା, ରାଲେଗାଡା, ଆଣ୍ଡ୍ରାପାଲି, ଗାଜଲମାମୁଡି ପଂଚାୟତରେ କୌଣସି ନାମାଙ୍କନ ପତ୍ର ଦାଖଲ ହୋଇନାହିଁ । ଏହାକୁ ବାଦଦେଲେ ମାଓ ଉପଦ୍ରୁତ ଟନେଲ କ୍ୟା, ବଡପଡା, କପାତୁଟି, ପପଲୁର, କୁରମାନୁର ଓ ନାକାମାମୁଡି ପଂଚାୟତରେ ମଧ୍ୟ କେହି ପ୍ରାର୍ଥୀ ନଥିବା ଜଣାପଡିଛି । କାରଣ ଲାଲ ବାହିନୀର ଧମକରେ ଭୟଭଭୀତ ଅବସ୍ଥାରେ ରହିଛନ୍ତି ଏସବୁ ଅଂଚଳର ଜନତା ଓ ଜନପ୍ରତିନିଧି ।

ମାଲକାନଗିରର ୧୫ଟି ଜିଲ୍ଲାପରିଷଦ ଜୋନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ହେଲେ ଭୋଟ ମାଗିବାକୁ ଏମାନେ ଗାଁରେ ପହଂଚିବା ନେଇ ଆଶଙ୍କା ରହିଛି । ବିଚ୍ଛିନ୍ନାଂଚଳରେ ଚାଲିଥିବା ମାଓବାଦୀଙ୍କ ସରକାର ଆଗରେ ହାତ ଟେକି ଦେଇଛନ୍ତି ଅସଲ ଶାସନ ଓ ସରକାର ।