ରାଜଧାନୀ ଭୁବନେଶ୍ୱରରେ ମାଓବାଦୀ ନାଁରେ ପୋଷ୍ଟରକୁ ନେଇ ଚର୍ଚ୍ଚା ! ଏମ୍ସ୍ ଡାକ୍ତରୀ ଛାତ୍ରଙ୍କୁ ଅପହରଣ କରିଥିବା ନେଇ ଦାବି,ସବ୍ୟସାଚୀ ପଣ୍ଡାଙ୍କୁ ମୁକ୍ତ କରିବାକୁ ଧମକ

27

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସର ଡାକ୍ତରୀ ଛାତ୍ର ସୋହେଲଙ୍କ ନିଖୋଜ୍ ଘଟଣାରେ ଆସିଛି ନୂଆ ମୋଡ଼ । ସିପିଆଇ ମାଓବାଦୀ, ସୋହେଲଙ୍କୁ ଅପହରଣ କରିଥିବା ନେଇ ଆଜି ଏକ ମାଓ ପୋଷ୍ଟର ସାମ୍ନାକୁ ଆସିଛି । ଯେଉଁଥିରେ ଦାବି କରାଯାଇଛି ମାଓ ନେତା ସବ୍ୟସାଚୀଙ୍କୁ ଛାଡ଼ିଲେ, ଅପହୃତ ଛାତ୍ରଙ୍କୁ ହତ୍ୟା କରାଯିବ । କିନ୍ତୁ ଏହି ପୋଷ୍ଟରର ବିଶ୍ୱସନୀୟତା ନେଇ ଉଠିଛି ପ୍ରଶ୍ନ । ଏପଟେ ପୁଲିସ୍ ପୋଷ୍ଟରକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ୱର ଏମ୍ସର ଛାତ୍ର ସୋହେଲଙ୍କ ନିଖୋଜ୍ ଘଟଣା ଉପରୁ ପରଦା ଉଠିନଥିବା ବେଳେ, ଏହି ପୋଷ୍ଟର ଡାକ୍ତରୀ ଛାତ୍ରଙ୍କ ନିଖୋଜ୍ ଘଟଣାକୁ ଏକ ଭିନ୍ନ ମୋଡରେ ପହଂଚାଇ ଦେଇଛି । ସିପିଆଇ ମାଓବାଦୀ ନାଁରେ ଲେଖା ହୋଇଥିବା ଏହି ପୋଷ୍ଟରରେ ସୋହେଲଙ୍କୁ ଅପହରଣ କରାଯାଇଥିବା ନେଇ ଦାବି କରଯାଇଛି । ‘ମାଓ ନେତା ସବ୍ୟସାଚୀଙ୍କୁ ଛାଡ଼’, ‘ନହେଲେ ସୋହେଲଙ୍କୁ ମାରି ଦେବୁ’ । ତେବେ ପୋଷ୍ଟର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି-ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ମିଲି ପଣ୍ଡା । ପୁଲିସକୁ ବାଟବଣା କରିବା ଉଦ୍ଦେଶ୍ୟରେ କେହି ଏଭଳି ଉଦ୍ୟମ କରୁଥିବା ସେ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ।

ଚିଠିଟି ସିପିଆଇ ମାଓବାଦୀଙ୍କ ଅଫିସିଆଲ ପେଡରେ ଲେଖା ହେବା ପରିବର୍ତ୍ତେ, ସାଧା କାଗଜରେ ଲେଖା ଯାଇ ପୋଷ୍ଟର ମରାଯାଇଛି । ଯାହା ମାଓବାଦୀଙ୍କ ଲେଖିଥିବା ନେଇ ସନ୍ଦେହ ସୃଷ୍ଟି କରୁଛି । ଯେଉଁ ସୋହେଲଙ୍କୁ ୩ଟି ରାଜ୍ୟର ପୁଲିସ୍ ଖୋଜୁଛି । ଆତଙ୍କୀ ଲିଙ୍କ୍ ସନ୍ଦେହର ଆଶଙ୍କା ଥିବାରୁ ଏନଆଇଏ ଘଟଣା ଉପରେ ନଜର ରଖିଛି । ଏଭଳି ସ୍ଥିତିରେ ସୋହେଲଙ୍କୁ କେମିତି ଅପହରଣ କଲେ ମାଓବାଦୀ ? କୋଲିକତାରୁ ସୋହେଲ ନିଖୋଜ୍ ହୋଇଥିବା ବେଳେ ମାଓବାଦୀ ତାଙ୍କୁ ଅପହରଣ କଲେ କେମିତି ?

ଆଉ ଏପଟେ ନିଖୋଜ୍ ଘଟଣାକୁ ୨୫ ଦିନ ବିତି ଯାଇଥିଲେ ସୁଦ୍ଧା ସୋହେଲଙ୍କ ଖୋଜ ଖବର ମିଳୁନି । ଯାହା ପରିବାର ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ତେବେ ସତରେ ମାଓବାଦୀ ଏହି ପୋଷ୍ଟର ମାରିଛନ୍ତି ନା କେହି ନିଖୋଜ୍ ଘଟଣାକୁ ବାଟବଣା କରିବାକୁ ଏଭଳି ଉଦ୍ୟମ କରୁଛି, ତା ଉପରୁ ପରଦା ଉଠାଇବା ବର୍ତ୍ତମାନ ପୁଲିସ ପାଇଁ ବଡ ଆହ୍ୱାନ୍ ।