ମୋଦିଙ୍କୁ ହତ୍ୟା କରିବାକୁ ଲାଲବାହିନୀର ଭୟଙ୍କର ଷଡ଼ଯନ୍ତ୍ର ! ରାଜୀବ ଗାନ୍ଧୀଙ୍କ ଭଳି ଆତ୍ମଘାତୀ ବିସ୍ଫୋରଣ ଷ୍ଟାଇଲରେ ପ୍ରଧାନମନ୍ତ୍ରୀଙ୍କୁ କରାଯାଇଥାନ୍ତା ହତ୍ୟା

36

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ଭଳି ଆଉ ଏକ ଆତ୍ମଘାତୀ ବିସ୍ଫୋରଣର ଷଡଯନ୍ତ୍ର ରଚିଥିଲା ଲାଲବାହିନୀ । ମାଓବାଦୀଙ୍କ ଟାର୍ଗେଟରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫ ଜଣ ସଂଦିଗ୍ଧ ମାଓବାଦୀଙ୍କୁ ପୁନେ ପୋଲିସ ଗିରଫ କରିବା ପରେ ସେମାନଙ୍କ ନିକଟରୁ ଜବତ ହୋଇଥିବା ଚିଠିରୁ ଏହି ସାଂଘାତିକ ତଥ୍ୟ ସାମନାକୁ ଆସିଛି । ତେବେ କଂଗ୍ରେସ ଅଭିଯୋଗ କରିଛି, ଏହା ବିଜେପିର ପୁରୁଣା ନାଟକ ।

ମୋଦିଙ୍କ ପାଇଁ ସାଂଘାତିକ ଚକ୍ରବ୍ୟୁହ ରଚନା କରୁଛି ଲାଲବାହିନୀ । କିନ୍ତୁ ଲାଲବାହିନୀର ଏହି ପ୍ଲାନ ସଫଳ ହେବା ପୂର୍ବରୁ ଚିଠି ମାଧ୍ୟମରେ ପଦାକୁ ଆସିଛି । ୨୦୧୭ ମସିହା ଏପ୍ରିଲ ୧୮ ତାରିଖରେ ଦିଆଯାଇଥିବା ଏହି ଚିଠିରେ ପ୍ରେରକ ସ୍ଥାନରେ ସାଂକେତିକ ଭାବେ ‘ଆର’ ଲେଖାଯାଇଛି । ଆଉ କମ୍ରେଡ୍ ପ୍ରକାଶଙ୍କ ଉଦ୍ଦେଶ୍ୟରେ ଚିଠି ପଠାଯାଇଛି । ପୁନେ ପୋଲିସ ଜବତ କରିଥିବା ଏହି ଚିଠିରେ ରହିଛି ଲାଲବାହିନୀର ସାଂଘାତିକ ଷଡ଼ଯନ୍ତ୍ର । ଠିକ୍ ଯେମିତି ୧୯୯୧ ମସିହାରେ ଆତ୍ମଘାତୀ ବିସ୍ଫୋରଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା, ସେହିପରି ଆଉ ଏକ ଷଡ଼ଯନ୍ତ୍ର ରଚିବାକୁ ଯୋଜନା । ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

maoମାଓବାଦୀଙ୍କ ଏହି ଚିଠିରୁ ଏପରି କିଛି ତଥ୍ୟ ପାଇଛି ମହାରାଷ୍ଟ୍ର ପୋଲିସ । ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିବା ପରେ ଜଣେ ମାଓବାଦୀଙ୍କଠାରୁ ଏହି ଚିଠି ଜବତ କରିଛି ପୋଲିସ । ଏହି ଚିଠିରେ ଲେଖାଯାଇଛି ମୋଦିଙ୍କ ନେତୃତ୍ୱରେ ହିନ୍ଦୁ କଠୋରପନ୍ଥୀଙ୍କ ସରକାର, ଆଦିବାସୀ ଜନଜୀବନକୁ ଧ୍ୱଂସ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ବିହାର ଓ ପଶ୍ଚିମବଙ୍ଗରେ ବଡ଼ ପରାଜୟ ସତ୍ତେ୍ୱ ୧୫ଟି ରାଜ୍ୟରେ ବିଜେପି ସରକାର ଗଠନ କରିଛି । ଯଦି ଏହି ଧାରା ଜାରି ରହେ, ତେବେ ଏହା ପାର୍ଟି ପାଇଁ ଘୋର ସମସ୍ୟା ସୃଷ୍ଟି କରିବ । ମୋଦି-ରାଜ୍ ଅନ୍ତ କରିବା ପାଇଁ କମ୍ରେଡ କିଶନ ଏବଂ ଅନ୍ୟ ବରିଷ୍ଠ ମାଓନେତାମାନେ ପ୍ରସ୍ତାବ ଦେଇଥିଲେ । ରାଜୀବ ଗାନ୍ଧି ଭଳି ଆଉ ଏକ ଘଟଣା ଘଟାଇବା ପାଇଁ ଆମେମାନେ ଚିନ୍ତା କରୁଛୁ । ଏପରି ଚିନ୍ତା ଆତ୍ମଘାତୀ ଭଳି ଲାଗୁଛି ଏବଂ ଆମେ ଏଥିରେ ବିଫଳ ହେବା ନେଇ ଅଧିକ ସମ୍ଭାବନା ମଧ୍ୟ ରହିଛି, କିନ୍ତୁ ଆମ ପ୍ରସ୍ତାବ ଉପରେ ପଲିଟିବ୍ୟୁରୋ ଓ କ୍ୟାଡର ନେତାମାନେ ଆଲୋଚନା କରନ୍ତୁ । ‘ରୋଡ୍-ସୋ’ ବେଳେ ମୋଦିଙ୍କୁ ଟାର୍ଗେଟ କରିବା ସଫଳ ରଣନୀତି ହୋଇପାରିବ ।

ତେବେ ଏହି ଚିଠି ଓ ସେଥିରେ ଥିବା ତଥ୍ୟକୁ ସତ ମାନିବାକୁ ନାରାଜ ବିରୋଧୀ ଦଳ । ଏହା ମୋଦିଙ୍କ ପୁରୁଣା ଚାଲ ବୋଲି କହିଛନ୍ତି କଂଗ୍ରେସ ନେତା ସଂଜୟ ନିରୁପମ । ସଞ୍ଜୟ କହିଛନ୍ତି ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ କମିବାରେ ଲାଗିଛି । ତେଣୁ ଏଭଳି ଏକ ନାଟକ ସୃଷ୍ଟି କରାଯାଉଛି । ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମଧ୍ୟ ମୋଦିଙ୍କୁ ଆକ୍ରମଣ ହୋଇପାରେ ବୋଲି ଏକ ଗୁଜବ ଜୋର ଧରିଥିଲା । ତେବେ ଏହି ଚିଠି ଜବତ ପରେ ଗୋଟିଏ ପଟେ ରାଜନୀତି ଜୋର ଧରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଗୃହ ମନ୍ତ୍ରାଳୟର ଚିନ୍ତା ବଢିଯାଇଛି । ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଇଛି ।