ମୋଦିଙ୍କୁ ମାଓବାଦୀଙ୍କ ବିରୋଧ ! ଓଡିଶା ଗସ୍ତ ଆଗରୁ ରାୟଗଡାରେ ଲାଲ ବାହିନୀର ଆତଙ୍କରାଜ

31

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ବିରୋଧ କରି ଲାଲବାହୀନୀର ତାଣ୍ଡବ । ଷ୍ଟେସନରେ ଲାଗିଛି ଡଜନେରୁ ଅଧିକ ପୋଷ୍ଟର । ଯେଉଁଥିରେ ମାଓବାଦୀ ସ୍ପଷ୍ଟ ଭାବେ ଦେଇଛନ୍ତି ମୋଦିଙ୍କ ଓଡିଶା ଗସ୍ତକୁ ବିରୋଧର ବାର୍ତା । ଆସନ୍ତା ୧୫ ଓ ୧୬ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦିନ ଧରି ଭୁବନେଶ୍ୱରରେ ବସିବ ଦଳର ଜାତୀୟ କାର୍ଯ୍ୟକାରୀଣି ।

ତେବେ ଏହା ପୂର୍ବରୁ ମୋଦିଙ୍କ ଗସ୍ତକୁ ବିରୋଧ କରିଛନ୍ତି ମାଓବାଦୀ । ଏପରିକି କେନ୍ଦ୍ର, ଦଲାଲ ଓ ଦଙ୍ଗାକାରୀ ସରକାର ବୋଲି ପୋଷ୍ଟରରେ ଦର୍ଶାଇଛନ୍ତି । ମୋଦିଙ୍କ ସହ ଓଡିଶା ସରକାରଙ୍କୁ ବି ଘେରିଛନ୍ତି ମାଓବାଦୀ । ରାଜ୍ୟରେ ଅଣ ଓଡିଆ ପ୍ରଶାସକ ଓ ଅଫିସରଙ୍କୁ ନିଯୁକ୍ତି ନେଇ ଉଠାଇଛନ୍ତି ପ୍ରଶ୍ନ ।

ଖାଲି ସେତିକ ନୁହେଁ ରାଜ୍ୟରେ ଅଣ ଓଡିଆ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଓ କେନ୍ଦ୍ର ସୁରକ୍ଷାକର୍ମୀ ମୁତୟନକୁ ନେଇ ବି ତାତିଛନ୍ତି ମାଓବାଦୀ । ରାୟଗଡାର ଦୋଇକାଲୁ ଷ୍ଟେସନରେ ଘଂଟାଏ ଧରି ଆତଙ୍କରାଜ । ଟ୍ରେନ୍ ଇଂଜିନରେ ବିସ୍ଫୋରଣ ସହ ଷ୍ଟେସନରେ ବ୍ୟାପକ ଭଂଗାରୁଜା । ଖାଲି ସେତିକି ନୁହେଁ ଘଂଟାଏ ଧରି ଷ୍ଟେସନ ମାଷ୍ଟର ଓ ଟ୍ରେନ୍ ଡ୍ରାଇଭରଙ୍କୁ ଅଟକ ରଖିଛନ୍ତି ମାଓବାଦୀ ।

ରାତି ପ୍ରାୟ ୧୨ ଟାରେ ଷ୍ଟେସନରେ ଆତଙ୍କ ଖେଳାଇଛନ୍ତି ସଶସ୍ତ୍ର ମାଓବାଦୀ । ସେପଟେ ଏହି ଘଟଣାକୁ ନେଇ ବିଧାନସଭା ବି ସରଗରମ । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିରୋଧରେ ତେଜିଛନ୍ତି ମାଓବାଦୀ । ଏଥିସହ ଅଣ ଓଡିଆ ପ୍ରଶାସକ ଓ ଅଫିସରଙ୍କୁ ବି ଜୋରଦାର ବିରୋଧ କରାଯାଇଛି । ଯାହା ସରକାରଙ୍କ ଚିନ୍ତା ବଢାଇଦେଇଛି ।