ପୁଣି ସକ୍ରିୟ ହେଲା ଲାଲବାହିନୀ । ପୋଲିସ ଖବରଦାତା ସନ୍ଦେହ କରି ମାଥିଲିଠାରେ ଜଣଙ୍କୁ ହତ୍ୟା କରିଥିବା ନେଇ ଆସିଲା ଅଭିଯୋଗ

34

କନକ ବ୍ୟୁରୋ : ଥମିବାରେ ନା ନେଉ ନାହିଁ ମାଓତାଣ୍ଡବ । ଗୋଟିଏ ପରେ ଗୋଟିଏ କାଣ୍ଡ ରଚାଉଛନ୍ତି ଲାଲାବାହିନୀ । କେତେ ବେଳେ ଟ୍ରକ ପୋଡି ତ କେତେ ବେଳେ ପୋଲିସ ଇନଫରମର ସନ୍ଦେହ କରି ହତ୍ୟା କରୁଛନ୍ତି ମାଓବାଦୀ । ତେବେ ମିଳିଥିବା ସୂଚନା ଅନୁସାରେ ପୁଲିସର ସୂଚନାଦାତା ବୋଲି ସନ୍ଦେହ କରି ମଙ୍ଗଳବାର ରାତିରେ ସଶସ୍ତ୍ର ନକ୍ସଲବାଦୀମାନେ ମାଥିଲି ବ୍ଲକ୍ ଅଞ୍ଚଳର ସାଲିନି ପଞ୍ଚାୟତ ଅନ୍ତର୍ଗତ ବୁରୁବେଡ଼ା ଗ୍ରାମର ଅନନ୍ତରାମ ଭୂମିଆଙ୍କୁ ହତ୍ୟା କରିଛନ୍ତି।

 

ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ପ୍ରାୟ ୨୦/୨୫ ଜଣ ମାଓବାଦୀ ବୁରୁବେଡ଼ା ଗ୍ରାମରେ ପହଞ୍ଚିବା ପରେ ଅନନ୍ତରାମଙ୍କ ଘରକୁ ଯାଇ ତାଙ୍କୁ ବାହାରକୁ ଟାଣି ଆଣିଥିଲେ। ତାଙ୍କୁ ପୁଲିସ ସୂଚନାଦାତା କହି ସେମାନେ ବହେ ମାରଧର କରିଥିଲେ। ତା’ପରେ ସେମାନେ ରାତାରାତି ଅନନ୍ତଙ୍କୁ ବୁରୁବେଡ଼ା ଗାଁ’ ପ୍ରାୟ ଠାରୁ ୧୦/୧୫ କିଲୋମିଟର ଦୂରରେ ଅବସ୍ଥିତ ଧାକଡ଼ରାଶି ନିକଟକୁ ନେଇ ସେଠାରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇ ଚାଲି ଯାଇଥିଲେ।