ଶକ୍ତି ଦେଖାଇଲା ଲାଲ ବାହିନୀ ! ପୁଣି ରିଲିଜ୍ ହେଲା ମାଓ ଅପରେସନର ଡକ୍ୟୁମେଂଟାରୀ ଭିଡିଓ

25

କନକ ବ୍ୟୁରୋ : ମାଓବାଦୀଙ୍କ ଶକ୍ତି ପ୍ରଦର୍ଶନ । ପ୍ରମାଣିକ ଚଳଚ୍ଚିତ୍ର ଜରିଆରେ ମାଓ ବର୍ବରତାର ଚିତ୍ର ରଖି, ମନୋବଳ ବଢ଼ାଇବାକୁ ଉଦ୍ୟମ କରିଛି ଲାଲବାହିନୀ । ବୁର୍କାପାଲ୍ ଅପରେସନର ଭିଡିଓ ଦେଖାଇ ମାଓ ସମର୍ଥକଙ୍କୁ ସଂଗଠନ ସହ ଯୋଡ଼ିବାକୁ ଉଦ୍ୟମ କରୁଛି । ଆଉ ଏଥିପାଇଁ ବ୍ୟବହାର ହେଉଛି ଅତ୍ୟାଧୁନିକ ଜ୍ଞାନକୌଶଳ । ଏପଟେ କିନ୍ତୁ ମାଓବାଦୀଙ୍କୁ ଚରମବାଣୀ ଶୁଣାଇ ଦେଇଛନ୍ତି ଗୃହମନ୍ତ୍ରୀ ।

ଗ୍ରେନେଡ୍, ଏକେ-୪୭ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଯାହା ପୁଣି ପ୍ରଦର୍ଶିତ ହେଉଛି-ଥ୍ରୀଡି ଭର୍ସନରେ । ତା’ସହ ହଲିଉଡ୍ ଫିଲ୍ମ ଶୈଳୀରେ ଦେଖାଯାଉଛି, ମାଓବାଦୀଙ୍କ ବର୍ବରତାର କାହାଣୀ । ଜାତୀୟ ଓ ଆଂଚଳିକ ଗଣମାଧ୍ୟମରେ ସ୍ଥାନ ପାଇଥିବା ଖବରକୁ ମଧ୍ୟ ସ୍ଥାନ ଦିଆଯାଇଛି ମାଓବାଦୀଙ୍କ ଡକ୍ୟୁମେଂଟାରୀରେ । ବୁର୍କାପାଲ ଅପସରେସର ଚିତ୍ର ଜରିଆରେ ମାଓବାଦୀ ଏବଂ ମାଓ ସମର୍ଥକଙ୍କ ମନୋବଳକୁ ମଜବୁତ୍ କରିବାକୁ ହୋଇଛି ଉଦ୍ୟମ୍ । ଡକ୍ୟୁମେଂଟାରୀ ଜରିଆରେ ଏସବୁ ଚିତ୍ର ରଖିବା ପଛରେ ମାଓବାଦୀଙ୍କ ଗୋଟିଏ ଉଦ୍ଦେଶ୍ୟ-ପୁରୁଣା ଆତ୍ମବିଶ୍ୱାସ ଫେରି ପାଇବା । ମାଓବାଦୀଙ୍କ ମନୋବଳକୁ ମଜଭୁତ କରିବା ସହ ମାଓବାଦରେ ବିଶ୍ୱାସ କରୁଥିବା ଲୋକଙ୍କୁ ଲାଲ୍ ସଂଗଠନ ପ୍ରତି ଆକର୍ଷିତ କରିବା ।

ଦିନକୁ ଦିନ ମାଓ ସଂଗଠନ ଦୁର୍ବଳ ହେଉଥିବା ବେଳେ ନିଜର ଅସ୍ଥିତ୍ୱ ଜାହିର କରିବା ପାଇଁ ଅନବରତ ଉଦ୍ୟମ ଚଳାଇଛନ୍ତି ମାଓ ସଂଗଠନ । ସୁରକ୍ଷାକର୍ମୀଙ୍କ ଉପରେ ପିଏଲଜିଏ କ୍ୟାଡର୍ କରିଥିବା ଆକ୍ରମଣ ଏବଂ ମାଓଗଡ଼ରେ ପ୍ରଶାସନକୁ ଚ୍ୟାଲେଂଜ୍ ଦେଲା ଭଳି ଭିଡିଓ ସବୁ ସାମ୍ନାକୁ ଅଣାଯାଉଛି । ଆଉ ଏଥିପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରାଯାଉଛି । ଏମିତିକି ସାମାଜିକ ଗଣମାଧ୍ୟମ ଜରିଆରେ ନିଜର ବାର୍ତ୍ତା ପହଂଚାଇବାକୁ ପ୍ରୟାସ କରାଯାଉଛି । ୱାର୍ଡସ୍ ଅଫ ଭଳି ସୋସିଆଲ ମିଡ଼ିଆକୁ ମାଧ୍ୟମ ଭାବେ ବାଛି ନେଇଛନ୍ତି ମାଓବାଦୀ ।

ଗରିଲା ଯୁଦ୍ଧରେ ମାହିର ପିଏଲଜିଏ କ୍ୟାଡେରମାନେ କେମିତି ଘଂଚ ଜଙ୍ଗଲରେ ଅପରେସନ୍ କରନ୍ତି । କେମିତି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରନ୍ତି, ସେଇ ସବୁ ଚିତ୍ର ରଖାଯାଇଛି-ମାଓବାଦୀ ଜାରି କରିଥିବା ଡକ୍ୟୁମେଂଟାରୀରେ । ହେଲେ ଏପଟେ କିନ୍ତୁ ମାଓବାଦୀଙ୍କୁ ଚରମବାଣୀ ଶୁଣାଇ ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ । ମାଓ ବର୍ବରକାଣ୍ଡକୁ ସମୂଳେ ଧ୍ୱଂସ କରିଦେବାକୁ ଆହ୍ୱାନ ଦେଇଛନ୍ତି ରାଜନାଥ ସିଂ । ସୁକମା ଆକ୍ରମଣ ଘଟଣାକୁ ମନେ ପକାଇ କହିଛନ୍ତି-ମାଓବାଦ ବର୍ତ୍ତମାନ ଦେଶ ପାଇଁ ବଡ ବିପଦ । ଆହୁରୀ କହିଛନ୍ତି- ଲୋକମାନେ ବୁଝିଲେଣି-ମାଓବାଦୀ ହେଉଛନ୍ତି-ଗରିବ ବିରୋଧୀ, ଆଦିବାସୀ ବିରୋଧୀ ଏବଂ ବିକାଶ ବିରୋଧୀ ।