ମାଲକାନଗିରି : ୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

25

କନକ ବ୍ୟୁରୋ : ମାଲକାନଗିରିରେ ୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ । ଆତ୍ମସମର୍ପଣ କରିଥିବା ମାଓ ଦମ୍ପତି ହେଲେ ସୋନି ଓୟାମ ଇଲିଆସ ଓରଫ ନାନ୍ଦେ ଓ ବିଜଲ କାଡମେ । ୨୩ ବର୍ଷୀୟ ସୋନି ଏବଂ ୨୬ ବର୍ଷିୟ ବିଜଲ୍ ୨୦୦୮ ମସିହାରୁ ମାଓ ସଙ୍ଗଠନରେ ଯୋଗ ଦେଇଥିଲେ । ମାଓ କମାଣ୍ଡର୍ ସାଗରଙ୍କ ଅଧୀନରେ ସେମାନେ ଛତିଶଗଡ଼ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଥିଲେ । ଉଭୟଙ୍କୁ ଧରାଇ ଦେଲେ ଦୁଇ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଥିଲେ ।

ମାଓ ସଙ୍ଗଠନରେ ବଢୁଥିବା ନିର୍ୟାତନା, ଭେଦଭାବ, ଆଦିବାସୀଙ୍କ ପ୍ରତି ଅତ୍ୟାଚାର ସହି ନ ପାରି ଉଭୟ ଏସ୍ପି ଜଗମୋହନ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଥିବା କଥା କହିଛନ୍ତି । ବିଜାପୁର ଜିଲ୍ଲା ଅନ୍ତର୍ଗତ ପେଡ଼ାକାର୍ମେ ଗାଁ’ରେ ସୋନିଙ୍କ ଓ ବିଜଲଙ୍କର ଘର । ଗତ କିଛି ମାସ ହେବ ଉଭୟେ ବିବାହ କରିଥିଲେ । ଏହି ମାଓ ଦମ୍ପତି ଆଜି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦାମନଯୋଡି ମାଇନ୍ସ ଆକ୍ରମଣ ସହ ବହୁ ହିଂସାକାଣ୍ଡରେ ସକ୍ରିୟ ଥିଲେ ଏହି ଦୁଇ ଜଣ ।