ମାଲକାନଗିରିରେ ମାତିଲେ ମାଓବାଦୀ ! ୧୦ରୁ ଅଧିକ ଘରେ ଲଗାଇଲେ ନିଆଁ, ନିୟମଗିରିରେ ଗୁଳି ବିନିମୟ ।

302

କନକ ବ୍ୟୁରୋ : ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ରବିବାର ମାଓ ଉପଦ୍ରବ ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ୧୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଛନ୍ତି । ସେହିପରି ମାଓବାଦୀମାନେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ସୀମାରେ ଥିବା ନିୟମଗିରିରେ ଡିଭିଏଫ୍‌ ଯବାନଙ୍କ ସହ ଗୁଳି ବିନିମୟ କରିଛନ୍ତି ।

ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ କହିଛନ୍ତି, ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପାପରମେଟ୍‌ଲା ଫାଣ୍ଡି ଅଞ୍ଚଳରେ ଥିବା ଜନ୍ତୁରାଇ ଗାଁକୁ ପ୍ରାୟ ୨୫ ଜଣ ସଶସ୍ତ୍ର ମାଓବାଦୀ ପ୍ରବେଶ କରିଥିଲେ । ସେମାନେ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇ ଥିଲେ ଯେ, ସରକାରୀ ନିର୍ମାଣ କାମକୁ ବିରୋଧ କରନ୍ତୁ । ମାତ୍ର ମାଓବାଦୀଙ୍କ ପ୍ରସ୍ତାବକୁ ଗ୍ରାମବାସୀ ସ୍ୱୀକାର କରି ନଥିଲେ । ଓଲଟା ଗ୍ରାମବାସୀ କହିଥିଲେ, ସରକାର ବିକାଶମୂଳକ କାମ କରୁଛନ୍ତି । ମାଓବାଦୀମାନେ ବିକାଶ ନାଁରେ ବିନାଶ କରୁଛନ୍ତି । ଗ୍ରାମବାସୀଙ୍କୁ କିଛି ଦେଉ ନାହାନ୍ତି । ଗ୍ରାମବାସୀଙ୍କ ଏଭଳି କଥାରେ ମାଓବାଦୀମାନେ ଉତ୍ତେଜିତ ହୋଇଥିଲେ । ଫଳରେ ଜନ୍ତୁରାଇ ଗାଁରେ ବହୁ ସମୟ ଧରି ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ମାଓବାଦୀମାନେ ଗ୍ରାମବାସୀଙ୍କୁ ଧମକ ଦେଇ ପଥରମାଡ଼ର ଶିକାର ହୋଇଥିଲେ । ପଥରମାଡ଼ରେ ଜଣେ ମାଓବାଦୀର ମୃତ୍ୟୁ ଘଟିଥିଲା । ଫଳରେ ପ୍ରତିଶୋଧ ପରାୟଣ ହୋଇ ୧୦ଟି ଘରେ ନିଆଁ ଲଗାଇ ଦେଇଥିଲେ । ଏହା ପରେ ମାଲକାନଗିରିରେ ପୁଲିସ ମାଓ ଦମନ ପାଇଁ ଅପରେସନ ଆରମ୍ଭ କରିଦେଇଛି ।

ସେହିପରି ଅନ୍ୟ ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ ଲାଖପଦର ଓ ଗୁମ୍ମା ନିକଟରେ । ଏଠାରେ ଡିଭିଏଫ ଯବାନ ଓ ମାଓବାଦୀମାନେ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାବାହିନୀର ଯବାନମାନେ କମ୍ବିଂ ଅପରେସନ ସମୟରେ ମାଓବାଦୀଙ୍କୁ ଭେଟିଥିଲେ । ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷାବାହିନୀଙ୍କ ସର୍ଚ୍ଚ ଅପରେସନ ଚାଲିଛି । ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ସୂଚନାଯୋଗ୍ୟ ଗତ ୨୨ ତାରିଖରେ ମାଓବାଦୀମାନେ ରାସ୍ତାକାମକୁ ବିରୋଧ କରି ପୋଡ଼ାଜଳା କରିଥିଲେ ।