ମାଓବାଦୀ ହେଲେ ମହାଦେବଙ୍କ ଭକ୍ତ । ବନ୍ଧୁକ ଛାଡ଼ିଲେ , ବେଲପତ୍ର ଚଢ଼ାଇଲେ ।

55

କନକ ବ୍ୟୁରୋ: ମାଓବାଦୀରୁ ହେଲେ ମହାଦେବଙ୍କ ଭକ୍ତ । ହିଂସା ଛାଡ଼ି ପୂଜାପାଠକୁ ଆପଣାଇ ନେଲେ ପୂର୍ବତନ ନକ୍ସଲ୍ ନେତା । ଏଭଳି ଏକ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ । କାହାଣୀ ମାଓ ଅଧ୍ୟୁଷିତ ଝାଡ଼ଖଣ୍ଡର ଦୀନବନ୍ଧୁ ସିଂଙ୍କର । ଦିନେ କରୁ ସିଂ ନାଁରେ ସେ କୁଖ୍ୟାତ ଥିଲେ ଲାଲ୍ କରିଡରରେ । ଆଜି ଆଧ୍ୟାତ୍ମିକତାର ପାଠ ପଢ଼ାଇବା ସହ ପୂଜାପାଠରେ ସମୟ ବିତାଉଛନ୍ତି ଦୀନବନ୍ଧୁ ।

ତେବେ ପୂର୍ବରୁ ଝାଡ଼ଖଣ୍ଡ ସଢ଼େଇକଳା ଅଂଚଳରେ ଆତଙ୍କ ଖେଳାଇ ଥିବା ଦୀନବନ୍ଧୁଙ୍କର ଆଜି ବଦଳିଯାଇଛି ଜୀବନଚର୍ଯ୍ୟା । ୨୦୦୫ ମସିହାରେ ସେ ଆତ୍ମସମର୍ପଣ କରିବା ପରେ ୨୦୧୨ ମସିହା ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିଥିଲେ । ଆଉ ଜେଲ୍ ଭିତରେ ହିଁ ତାଙ୍କର ହୃଦୟ ପରିବର୍ତନ ହୋଇଥିଲା । ଏହାପରେ ଦଲମା ଫେରି ପାହାଡ଼ିଆ ଅଂଚଳରେ ଆଶ୍ରମ କରି ରହିଥିଲେ ।

ସମୟକ୍ରମେ ଶ୍ରଦ୍ଧାଳୁଙ୍କ ନିକଟରେ ଦୀନବନ୍ଧୁ ଘଂଟା ବାବା ନାଁରେ ପରିଚିତ ହୋଇଥିଲେ । ତାଙ୍କ ଆଶ୍ରମକୁ ଏବେ ଝାଡ଼ଖଣ୍ଡ ବ୍ୟତୀତ ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ରୁ ମଧ୍ୟ ଭକ୍ତ ଆସୁଥିବା ଦେଖିବାକୁ ମିଳିଛି । ହିଂସାର ବାଟ ଛାଡ଼ି ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ଅନ୍ୟମାନଙ୍କ ପାଇଁ ପ୍ରେରଣା ବନିଛନ୍ତି ।