ଲାଞ୍ଜିଗଡ଼ରେ ଲାଲତାଣ୍ଡବ: ଠିକାଦାରଙ୍କୁ ଗୁଳି କରି ହତ୍ୟା ପରେ କଳାହାଣ୍ଡିରେ କୋକୁଆ ଭୟ

297

କନକ ବ୍ୟୁରୋ: ଲାଞ୍ଜିଗଡରେ ଲାଲ୍ ଆତଙ୍କ । କଳାହାଣ୍ଡିରେ ମାଓବାଦୀଙ୍କ ବର୍ବରକାଣ୍ଡ । କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହେଲା ଲାଲତାଣ୍ଡବ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ପାହାଡ ପଦର ବଜାର ଉପରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଗୁଳିକରି ମାରିଛନ୍ତି ମାଓବାଦୀ ।


ତେବେ ଆଜି ଦିନରେ ଠିକାଦାର ବଜାରରେ ସଉଦା କିଣୁଥିବା ବେଳେ ମାଓବାଦୀ ବଜାର ଭିତରେ ପଶି ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଆଉ ମାଓ ଗୁଳିରେ ଘଟଣାସ୍ଥଳରେ ହିଁ ଠିକାଦାରଙ୍କ ମୃତ୍ୟୁ ହୋଇଛି ।


ପୂର୍ବରୁ ଠିକାଦାରଙ୍କୁ ଅନେକ ଥର ଟାର୍ଗେଟ କରିଛନ୍ତି ମାଓବାଦୀ । ପୂର୍ବରୁ ରାଜେନ୍ଦ୍ରଙ୍କ ଗୋଟିଏ ବାଇକ ଓ ଗୋଟିଏ ଜେସିବିକୁ ଜାଳି ଦେଇଛନ୍ତି ମାଓବାଦୀ । ଆଉ ଆଜି ତାଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି । ତେବେ ହତ୍ୟା କରିଥିବା ମାଓବାଦୀ ରାୟଗଡା ଡିଭିଜନର ବୋଲି ଜଣାପଡିଛି । ହତ୍ୟା ପରେ ସେମାନେ ଘଟଣାସ୍ଥଳରେ ଏକ ପୋଷ୍ଟର ଛାଡି ଯାଇଛନ୍ତି । ତେବେ ହତ୍ୟାର କାରଣ କଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।