ଭୁବନେଶ୍ୱରରେ ମାଓବାଦୀ ! ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ହେଲେ ଗିରଫ ।

41

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଏକ ମାଓବାଦୀକୁ ଗିରଫ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଏହି ମାଓବାଦୀକୁ ଗିରଫ କରିଛି କମିସନରେଟ ପୋଲିସ । ପଶ୍ଚିମବଙ୍ଗ ପୋଲିସ ପାଇଁ ଏହି ମାଓବାଦୀ ଜଣକ ମୋଷ୍ଟ ୱାଣ୍ଟେଡ ଥିଲା ବୋଲି ଜଣାପଡିଛି । ତେବେ ଓଡିଶା ଏବଂ ପଶ୍ଚିମବଙ୍ଗ ପୋଲିସର ମିଳିତ ଉଦ୍ୟମରେ ଏହି ମାଓବାଦୀକୁ ଗିରଫ କରାଯାଇଛି । ମାଓବାଦୀର ଓଡିଶା ଆସିବା ନେଇ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ତଦନ୍ତ ପରେ ଏହା ଜଣାପଡିବ ।

ସମ୍ପୃକ୍ତ ମାଓବାଦୀର ନାଁ ଅଲିକ ଚକ୍ରବର୍ତ୍ତୀ ବୋଲି ଜଣାପଡିଛି । ଏହି ମାଓବାଦୀ ଜଣକ ପଶ୍ଚିମବଙ୍ଗର ରେଡ ଷ୍ଟାର ଲିଡର ରହିବା ସହ ତା ନାଁରେ ବିଭିନ୍ନ ଅପରାଧିକ ତାଲିକା ରହିଛି । ଏବଂ ମାଓବାଦୀ ଜଣକ ଦୀର୍ଘଦିନ ଧରି ପୋଲିସ ସହ ଲୁଚକାଲି ଖେଳୁଥିଲା । ପାଖାପାଖି ୩ ରୁ ୪ଦିନ ଭୁବନେଶ୍ୱରରେ ପଇଁତରା ମାରିବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କିମ୍ବା ଲୁଚି ରହିଥିବା ନେଇ ପୋଲିସ ଖବର ପାଇଥିଲା । ଏହା ପରେ ସମ୍ପୃକ୍ତ ହସ୍ପିଟାଲକୁ ଯାଇ ପୋଲିସ ମାଓବାଦୀକୁ ଗିରଫ କରିଛି । ମାଓବାଦୀ ଗିରଫ ହେବା ପରେ ରେଡ ଷ୍ଟାରର ଓଡିଶା ଲିଙ୍କ ନେଇ ଏବେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ତେବେ ସେ କିଭଳି ଓଡିଶା ଆସିଲା ସେନେଇ ସମ୍ପୃକ୍ତ ମାଓବାଦୀକୁ ପଚରାଉଚୁରା ପରେ ଜଣାପଡିବ । ଓଡିଶା ସହ ରେଡ ଷ୍ଟାରର ସମ୍ପର୍କ ନେଇ ଖୁବ ଶୀଘ୍ର ତଦନ୍ତ ଆରମ୍ଭ କରାଯିବ ।