୫ଟି ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା : କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ମହାନଦୀ ବଂଚାଓ ଦାବିରେ ବନ୍ଦ ପାଳନ

23

କନକ ବ୍ୟୁରୋ :  ଆଜି ୫ଟି ଜିଲ୍ଲାରେ ବନ୍ଦ ପାଳନ କରୁଛନ୍ତି ମାଓବାଦୀ । ଏନେଇ ଫୁଲବାଣୀର ବାଲିଗୁଡା ନିକଟରେ ମାଓବାଦୀ ପୋଷ୍ଟର ଲଗାଇଛନ୍ତି । ରାୟଗଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ଫୁଲବାଣୀରେ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ । କୋରାପୁଟ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ମହାନଦୀ ବଂଚାଓ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ପ୍ରତିବାଦରେ ୫ଟି ଜିଲ୍ଲାରେ ମାଓବାଦୀ ବନ୍ଦ ପାଳନ କରୁଛନ୍ତି । ଗତକାଲି ରାତିରେ ରାୟଗଡା ଜିଲ୍ଲା ମୁନିଗୁଡା ଅନ୍ତର୍ଗତ ଭୁର୍ଷିଖମରଠାରେ ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାରିଛନ୍ତି ମାଓବାଦୀ । ଫଳରେ ମୁନିଗୁଡା ଭବାନପାଟଣା ରାସ୍ତାରେ ଯାତାୟତ ବନ୍ଦ ରହିଛି । ୨୧ ତାରିଖ ଅର୍ଥାତ ଆଜିର ବନ୍ଦ ପାଳନକୁ ସଫଳ କରିବା ସହ ମହାନଦୀ ବଂଚାଇବାକୁ ଆହ୍ୱାନ ଦେଇ ବଂଶଧାରା ନାଗାବଳୀ ଘୁମୁସୁରୁ ଏରିଆ କମିଟି ପକ୍ଷରୁ ପୋଷ୍ଟର ମରାଯାଇଛି । ସେପଟେ ବନ୍ଦକୁ ଆଖି ଆଗରେ ରଖି ସରକାରୀ ବସ ଚଳାଚଳ ବନ୍ଦ ରହିଛି । ଅପରପକ୍ଷରେ ମାଓ ହିଂସା ଓ ଅଘଟଣକୁ ଏଡାଇବା ପାଇଁ ପୁଲିସ ସଜାଗ ଥିବା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ।