ମାଓବାଦୀଙ୍କ ମାଷ୍ଟରମାଇଣ୍ଡ ରାମକୃଷ୍ଣ ଦେହରେ ବାଜିଲା ଗୁଳି : ବିଚ୍ଛିନ୍ନାଚଂଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ବେଳେ ଲାଗିଛି ଆଘାତ

23
କନକ ବ୍ୟୁରୋ : ଓଡ଼ିଶା ସମେତ ୫ଟି ରାଜ୍ୟର ପୁଲିସର ନିଦ ହଜାଇ ଦେଇଥିବା ମୋଷ୍ଟ ୱାଂଟେଡ୍ ମାଓବାଦୀ ଆରକେ ଓରଫ ରାମକ୍ରିଷ୍ଣା ଆହତ । ୪ ଦିନ ତଳେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳରେ ବିଏସଏଫ ଓ ମାଓବାଦୀ ମୁହଁ ମୁହିଁ ହୋଇଥିବା ବେଳେ ରାମକ୍ରିଷ୍ଣା ଗୁରୁତର ଆହତ ହୋଇ ଖସି ପଳାଇଥିବା ନେଇ ଚର୍ଚ୍ଚା ହେଉଛି । ଆରକେ ନାଁରେ କେବଳ କୋରାପୁଟ ଓ ମାଲକାନଗିରିରେ ୨୦୦ରୁ ଅଧିକ ମାମଲା ଥିବା ବେଳେ ତା’ ମୁଣ୍ଡରେ ରହିଛି ପାଖାପାଖି ଦେଢ କୋଟି ଟଙ୍କାର ପୁରସ୍କାର ।
ଆରକେ ଓରଫ ରାମକ୍ରିଷ୍ଣା ଓରଫ ଆକି ରାଜୁ ହରଗୋପାଲ୍ । ଗତ ୧୫ ତାରିଖ ଲୁଚାପାଣି ଏନକାଉଂଟରରେ ଗୁଳି ବାଜିଥିବା ନେଇ ଚର୍ଚା । ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳ ପାପେରମେଟଲା ଥାନା ଅନ୍ତର୍ଗତ ଲୁଚାପାଣି ଜଙ୍ଗଲରେ ଆର.କେଙ୍କ ନେତୃତ୍ୱରେ ମାଓ ଶିବର ଚାଲି ଥିବା ବେଳେ ବିଏସଏଫ ପକ୍ଷରୁ ହୋଇଥିଲା ଏନକାଉଂଟର । ପାଖାପାଖି ୩୦ ମିନିଟର ଗୁଳି ବିନିମମରେ ଘଟଣାସ୍ଥଳରେ ଟଳି ପଡିଥିଲେ ଜଣେ ମାଓ କ୍ୟାଡର ।  ହେଲେ ଏହି ଏନକାଉଂଟରରେ ଆରକେ ଆହତ ହୋଇଥିବା ସୂଚନା ମିଳିଛି ।
ଓଡିଶା ପୋଲିସ ସମେତ ଦେଶର ମାଓ ପ୍ରବଣ ରାଜ୍ୟର ପୁଲିସ ତାଲିକାରେ ମୋଷ୍ଟ ୱାଂଟେଡ୍ ମାଓବାଦୀ ଆରକେ  ଓରଫ ରାମ କ୍ରିଷ୍ଣା । ଭିନ୍ନ ଭିନ୍ନ ନାଁରେ ଜଙ୍ଗଲରେ ଲୁଚି ଛପି ଆକ୍ରମଣ କରିବାରେ ମାହିର ଏହି ଟପ୍ ମାଓ ନେତା ।  ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ରାମକ୍ରିଷ୍ଣାର  ଅପରାଧର ଫର୍ଦ୍ଦ ବେଶ୍ ଲମ୍ବା । ଏହି ମାଓ କମାଣ୍ଡରଙ୍କ ନାଁରେ ରହିଛି ଗଦା ଗଦା ମାମଲା । କେବଳ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ୨୦୦ରୁ ଅଧିକ ମାମଲା । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, କାଲିମେଳା, ପଡିଆ ଏବଂ ମାଥିଲି ଅଂଚଳରେ ଆତଙ୍କ ଖେଳାଇ ରଖିଥିଲା ରାମକ୍ରିଷ୍ଣା । ମାଲକାନଗିରି ପୋଲିସର ମୋଷ୍ଟ ୱାଂଟେଡ୍ ତାଲିକାର ୧ ନମ୍ବର ସ୍ଥାନରେ ରହିଛି ଆରକେର ନାଁ ।  ବାରମ୍ବାର ପୋଲିସକୁ ଚକମା ଦେବାରେ ଓସ୍ତାଦ ମାଓବାଦୀଙ୍କ ଏହି ମାଷ୍ଟର ମାଇଣ୍ଡ ।