ବଦଳିଲେ ମାଓ ମୁଖିଆ : ଲାଲ ସଂଗଠନର ନୂଆ ମୁଖିଆ ଏନଆଇଏର ମୋଷ୍ଟ ୱାଂଟେଡ ମାଓବାଦୀ ଏନ. କେଶବ ରାଓ

ବଦଳିଲେ ମାଓ ସଙ୍ଗଠନର ମୁଖିଆ ।

63

କନକ ବ୍ୟୁରୋ : ବଦଳିଲେ ମାଓ ସଙ୍ଗଠନର ମୁଖିଆ । କେନ୍ଦ୍ରୀୟ କମିଟି ମୁଖ୍ୟ ଗଣପତି ସ୍ଥାନରେ ଟପ୍ ମାଓନେତା ଏନ.କେଶବ ରାଓ ଓରଫ ଗଗାନ୍ନା ଦୟିତ୍ୱ ନେଇ ଥିବା ନେଇ ଚର୍ଚା ହେଉଛି । ଆଉ ଏହି ନବନିର୍ମିତ କେନ୍ଦ୍ରୀୟ କମିଟିର ଫୋକସରେ ରହିଛି ଓଡିଶା । ଓଡିଶାରେ ଦୁଇଟି ନୂଆ କରିଡର ଗଠନ କରି ଉତ୍ତର ଓ ପଶ୍ଚିମ ଓଡିଶା ସମେତ ଦକ୍ଷିଣ ଓଡିଶାକୁ ସ୍ୱତନ୍ତ୍ର ମୁକ୍ତାଂଚଳ କରିବା ନେଇ କାମ ଆରମ୍ଭ କରିଛି କେନ୍ଦ୍ରୀୟ କମିଟି । କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପୁଲିସକୁ ଚକମା ଦେବା ପାଇଁ ଲାଲ ସଂଗଠନ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛି । କେତେକ ଗୁରୁତ୍ୱପୁର୍ଣ୍ଣ ପୋଲକୁ ଉଡାଇବା ପାଇଁ ମାଓବାଦୀମାନେ ଯୋଜନା କରୁଥିବା ନେଇ ଗୁଇନ୍ଦା ତଥ୍ୟ ମିଳିଛି । ଏହାପରେ ଲାଲବାହିନୀର କଡା ମୁକାବିଲା ପାଇଁ ଓଡିଶା ପୁଲିସ ଆଲାର୍ଟ ରହିଛି ।

ଲାଲ ସଂଗଠନରେ ବଡ ଧରଣର ପରିବର୍ତନ । କେନ୍ଦ୍ରୀୟ କମିଟି ମୁଖ୍ୟ ମାଓବାଦୀ ଗଣପତି ଓରଫ ମୁପାଲା ଲକ୍ଷ୍ମଣ ରାଓଙ୍କ ସ୍ଥାନରେ ୱାସବ ରାଜୁ  ଓରଫ ନାମ୍ବାଲା କେଶବ ରାଓ ଓରଫ ଗଗାନ୍ନାଙ୍କୁ  କେନ୍ଦ୍ରୀୟ କମିଟିର ସମ୍ପାଦକ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରୀୟ କମିଟିର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ଏବେ ଲାଲବାହିନୀର ଆଗାମୀ ରଣନୀତି କଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୯୯୨ ମସିହାରୁ ଲାଲ ସଂଗଠନରେ କାମ କରି ଆସୁଛନ୍ତି ୬୮ ବର୍ଷୀୟ ମାଓନେତା ଗଣପତି । ତେବେ ବୟସଗତ କାରଣ ଓ ଶାରିରୀକ ଅସୁସ୍ଥତା ଯୋଗୁଁ ସଂଗଠନର ପ୍ରମୁଖ ଦାୟିତ୍ୱରୁ ଓହରି ଯାଇଛନ୍ତି ଗଣପତି । ୧୯୯୨ ମସିହାଠାରୁ ଗଣପତି ମାଓ ସଙ୍ଗଠନର ସବୁଠାରୁ ବଡ ପଦବୀରେ ଥିଲେ । ଏବେ କିଛି ଦିନ ହେବ ସେ ମାଓ ସଂଗଠନ ବ୍ୟାକ ଫୁଟରେ ଥିଲେ ।

କେନ୍ଦ୍ରୀୟ କମିଟି ସମ୍ପାଦକ ଦାୟିତ୍ୱ ନେବା ଆଗରୁ ମାଓବାଦୀଙ୍କ ମିଲିଟାରୀ କମାଣ୍ଡର ମୁଖ୍ୟ, କେନ୍ଦ୍ରୀୟ କମିଟି ସଦସ୍ୟ ଓ ପୋଲିଟ୍ ବ୍ୟୁରୋ ସଦସ୍ୟ ଦାୟିତ୍ୱକୁ ତୁଲାଇଛି ଏହି ଟପ୍ ମାଓନେତା ଗଗାନ୍ନା । ମାଓ ସଂଗଠନର ମହାସଚିବ ହେବା ପରେ ଗଗାନ୍ନାର ଫୋକସରେ ଓଡିଶା ଥିବା ଜଣାପଡିଛି ।

ବିଶେଷ କରି ମାଓ ଉପଦ୍ରୁତ ଅଂଚଳକୁ ସଂଯୋଗ କରୁଥିବା ପୋଲକୁ ଉଡେଇବା ପାଇଁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରୁଛନ୍ତି । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଗୁରୁପ୍ରିୟା ସେତୁ ଉପରେ କଡା ନଜର ରଖିଛନ୍ତି ସୁରକ୍ଷା ବାହିନୀ । ଆଉ ଲାଲବାହିନୀର କଡା ମୁକାବିଲା ପାଇଁ ସୁରକ୍ଷାବାହିନୀ ସଜାଗ ଥିବା କହିଛନ୍ତି ମାଲକାନଗିରି ଏସପି ଜଗମୋହନ ମୀନା ।

ଆସନ୍ତୁ ଜାଣିବା କେନ୍ଦ୍ରୀୟ କମିଟି ନୂଆ ମୁଖିଆ ଟପ୍ ମାଓନେତା ନମ୍ବାଲା କେଶବ ରାଓ ଓରଫ ଗଗାନ୍ନାର ପ୍ରୋଫାଇଲ ଉପରେ ।

୧. ୬୨ ବର୍ଷୀୟ ନମ୍ବାଲା କେଶବ ରାଓ ୩୦ ବର୍ଷ ହେବ ମାଓ ସଙ୍ଗଠନରେ ସକ୍ରିୟ ରହିଛି ।

୨. ଆନ୍ଧ୍ର ପ୍ରଦେଶ ରାଡିକାଲ ଷ୍ଟୁଡେଂଟସ୍ ୟୁନିୟନରୁ ମାଓ ସଂଗଠନକୁ ଲମ୍ଫ ମାରିଛି ଏହି ଟପ୍ ମାଓନେତା ।

୩. ଓଡିଶାରେ ଘଟିଥିବା ବହୁ ହିଂସାକାଣ୍ଡ ପଛରେ ରହିଛି କେଶବ ରାଓ ଓରଫ ଗଗାନ୍ନାର ହାତ ।

୪. ନୟାଗଡ ଆସ୍ତ୍ରାଗାର ଲୁଟ, କୋରାପୁଟ ଆକ୍ରମଣ ସହ ଓଡିଶା ଓ ଛତିଶଗଡରେ ଘଟୁଥିବା ବଡ ବଡ ହିଂସା କାଣ୍ଡର ମାଷ୍ଟର ମାଇଣ୍ଡ ।

୫. ଓଡିଶାର ମାଲକାନଗିରି ଓ ଛତିଶଗଡର ବସ୍ତର ଓ ଅବୁଝମାଡ ଅଂଚଳରେ ସକ୍ରିୟ ଅଛି ।

୬. ଏନ.ଆଇ.ଏର ମୋଷ୍ଟ ୱାଂଟେଡ୍ ତାଲିକାରେ ରହିଛି କେଶବ ରାଓ ।

ଛତିଶଗଡ ଓ ଝାଡଖଣ୍ଡରେ ଲାଲବାହିନୀ ବ୍ୟାକ ଫୁଟରେ ଥିବାରୁ ଓଡିଶାକୁ ଟାର୍ଗେଟ କରିଛି । ଏଥିପାଇଁ ୨୦୧୫–୧୬ରୁ କଳାହାଣ୍ଡି ଜଙ୍ଗଲରେ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛି ସଂଗଠନ । ଟପ୍ ମାଓନେତା ଗଣପତି ଓ ନମ୍ବାଲା କେଶବ ରାଓଙ୍କ ସମେତ ୮ କେନ୍ଦ୍ରୀୟ କମିଟି ସଦସ୍ୟ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଓଡିଶାରେ ୨ଟି ସ୍ୱତନ୍ତ୍ର କରିଡର କରିବା ପାଇଁ ଯୋଜନା କରାଯାଇଛି । ସମ୍ବଲପୁର, ଦେବଗଡ ଓ ସୁନ୍ଦରଗଡକୁ ନେଇ ସ୍ୱତନ୍ତ୍ର ଏସ.ଡି.ଏସ ଡିଭିଜନ ଗଠନ ହୋଇଛି । ସୋରଣ୍ଡାରୁ ବଣେଇ, ସମ୍ବଲପୁର, ଦେବଗଡ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୂଆପଡା ଦେଇ ଝାଡଖଣ୍ଡ ସହ ଛତିଶଗଡକୁ ସଂଯୋଗ ପାଇଁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ରୀୟ କମିଟି ସଦସ୍ୟ । ଏଥିପାଇଁ କେନ୍ଦ୍ରୀୟ କମିଟିର ଟପ୍ ମାଓ ଲିଡରଙ୍କୁ ରାୟଗଡା, କନ୍ଧମାଳ, ନୂଆପଡା, କଳାହାଣ୍ଡିରେ ମୁତୟନ କରିଛି ସଂଗଠନ ।