ମାଓ ଭୟରେ ଗାଁ ଛାଡୁଛନ୍ତି ବିଛିନ୍ନାଚଂଳବାସୀ : ଭିଟାମାଟି ଛାଡି ଯାଯାବର ଭାବେ ପଲିଥିନ୍ ତଳେ ଜିଉଁଛନ୍ତି ଜୀବନ

40

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ବିଚିତ୍ର ନିତି । ଆତ୍ମସମର୍ପଣକାରୀ ମାଓବଦୀଙ୍କ ଥଇଥାନ ପାଇଁ ରହିଛି ନାନା ଯୋଜନା । ତେବେ ମାଓ ଭୟ ରେ ଭିଟାମାଟି ଛାଡି ସର୍ବସ୍ୱାନ୍ତ ହେଉଥିବା ପରିବାରଙ୍କୁ ମିଳୁନି କୌଣସି ସରକାରୀ ସାହାଯ୍ୟ । ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳରେ ମାଓବାଦୀଙ୍କ ରାଜ ଚାଲୁ ଥିବା ବେଳେ ମାଓ ଭୟ ରେ ଗାଁ ଛାଡି ଥିବା ଅନେକ ପରିବାର ନିରାଶ୍ରୟ ହୋଇ ପଡିଛନ୍ତି । ସେମାନଙ୍କ ଥଇଥାନ ପାଇଁ ଏଯାବତ ସରକାର କିଛି କରିନାହାଁନ୍ତି । ବାଧ୍ୟ ହୋଇ, କେତେବେଳେ ସରକାରୀ ପିଣ୍ଢା ତ ଆଉ କେତେ ବେଳେ ପଲିଥିନ ତଳେ ଜୀବନ ବିତାଉଛନ୍ତି । କାମ ମିଳିଳେ ଦୁଇ ଓଳି ଦୁଇ ମୁଠା ଦାନା ପେଟରେ ପଡୁଛି, ଆଉ କାମ ନମିଳିଲେ ଭୋକ ଓପାସ ରେ ଦିନ କାଟୁଛନ୍ତି ଆନେକ ପରିବାର ।

ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଂଚଳ । ଯାଯାବର ଜୀବନ ବିତାଉଛନ୍ତି । ମାଓ ଭୟରେ ଭିଟାମାଟି ଛାଡୁଛନ୍ତି ବିସ୍ଥାପିତ । ମାଓବାଦୀଙ୍କ ଧମକ ଓ ପୋଲିସ ଇନଫର୍ମର ଆକ୍ଷା ପାଇବା ପରେ ଚିତ୍ରକୋଣ୍ଡାରେ ଆଶ୍ରୟ ନେଇଛନ୍ତି ୧୫ ଟି ଗାଁର ୬୦ଟି ପରିବାରର ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ସଦସ୍ୟ । ପେଟ ପୋଶିବା ଲାଗି ନା ଅଛି କାମ ଧନ୍ଧା ନା ମିଳୁଛି ସରକାରୀ ସୁବିଧା । ଅଧିକାଂଶ ସମୟରେ ଭୋକ ଉପାସରେ କାଳ କାଟୁଛନ୍ତି ଏହି ବିସ୍ଥାପିତ । ଦିନବେଳ ଯେମିତି ହେଲେ କଟି ଯାଉଛି । କିନ୍ତୁ ରାତି ହେଲେ ବଢ଼ୁଛି ଚିନ୍ତା । କାରଣ ମୁଣ୍ଡ ଗୁଂଜିବା ଲାଗି ଗୋଟିଏ ମାତ୍ର ଦିଦାଇ ବିଶ୍ରାମଗାର ଦେଇଛି ଜିଲ୍ଲା ପ୍ରଶାସନ । ତେବେ ସେଥିରି ପିଲା ଛୁଆଙ୍କୁ ନେଇ ରାତି କାଟିବା କଷ୍ଟକର । ଶେଷରେ ନିଜ ଭାଗ୍ୟକୁ ଆଦରି ପଲିଥିନ୍ ତଳେ ଜିଉଁଛନ୍ତି ଜୀବନ ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରର ଆର ପାରିରେ ଏବେ ବି ଚାଲିଛି ମାଓବାଦୀଙ୍କ ରାଜ । ଗତ ଦୁଇ ବର୍ଷ ଧରି ବୁଡି ଅଂଚଳରୁ ମାଓବାଦୀଙ୍କ ଦ୍ୱାରା ପ୍ରତାଡିତ ହୋଇ ଗ୍ରାମବାସୀମାନେ ନିଜ ଗାଇ ଗୋରୁ, ଭିଟା ମାଟି ଛାଡି ଚିତ୍ରକୋଣ୍ଡା, କୁଡୁମୁଲୁଗୁମା ଅଂଚଳରେ ଆଶ୍ରୟ ନେଇଛନ୍ତି । ଜିଲ୍ଲା ପ୍ରଶାସନ ଏମାନଙ୍କୁ କେବଳ ଏହି ଦିଦାଇ ବିଶ୍ରାମଗାର ଓ ଚିତ୍ରକୋଣ୍ଡା ଥାନା ନିକଟରେ ଅସ୍ଥାୟୀ ଯାଗା ଦେଖାଇ ଚୁପ ବସିଛି ।

ଏହି ସମସ୍ୟା କେବଳ ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳ ବିସ୍ଥାପିତଙ୍କର ନୁହେଁ । ବରଂ ମାଓ ଭୟରେ ଗାଁ ଛାଡିଥିବା ମାଥିଲି ମହୁପଦର ଓ କାଲିମେଳା ଥାନା ଭେଜାଙ୍ଗିୱାଡା ଅଂଚଳର ଶତାଧିକ ପରିବାରର । ତେବେ ଆତ୍ମସମର୍ପିତ ମାଓବାଦୀଙ୍କୁ ବାଦ ଦେଲେ ଏହି ମାଓ ବିତାଡିତ ପରିବାରଙ୍କୁ ଥଇଥାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।