ଆନ୍ଧ୍ର ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର! ଅଳ୍ପକେ ବର୍ତିଗଲା ଟପ୍ ମାଓ ଲିଡର ରାମକ୍ରିଷ୍ଣା ଓ ଅରୁଣା, ସୁରକ୍ଷାକର୍ମୀଙ୍କ ଗୁଳିରେ ଆହତ ସୂଚନା

39

କନକ ବ୍ୟୁରୋ : ପୁଣି ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଖସିଗଲେ ମୋଷ୍ଟ ୱାଣ୍ଟେଡ ଟପ୍ ମାଓ ନେତା ରାମକ୍ରିଷ୍ଣା ଓରଫ ଆରକେ । ଆନ୍ଧ୍ର ପ୍ରଦେଶର ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନକ୍ସଲମାନେ ହତ୍ୟା କରିବା ପରେ ଆଜି ଓଡିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା ସୁଂକି ଜଙ୍ଗଲ ସ୍ଥିତ ଏକ ମାଓ ଶିବିରରେ ଅଚାନକ ଆକ୍ରମଣ କରିଥିଲେ ସୁରକ୍ଷାକର୍ମୀ । ସନ୍ଦେହ କରାଯାଉଛି, ସେହି ମାଓ ଶିବିରରେ ରାମକ୍ରିଷ୍ଣା ଓ ଟପ୍ ମାଓନେତ୍ରୀ ଅରୁଣା ମଧ୍ୟ ଥିଲେ । ମିଳିଥିବା ସୂଚନା ଅନୁସାରେ, ପୋଲିସର ଆକ୍ରମଣରେ ସେମାନେ ଖସିଯିବାକୁ ସକ୍ଷମ ହୋଇଛନ୍ତି ।

ସୁଙ୍କିର ଘଂଚ ଜଙ୍ଗଲ ଭିତରେ ଏକ ଶିବିର କରି ତିନିଜଣ ଟପ୍ ମାଓ କମାଣ୍ଡର ଥିବା ନେଇ ପୋଲିସ ପାଖରେ ସୂଚନା ପହଂଚିଥିଲା । ଆନ୍ଧ୍ରର ଜଣେ ବିଧାୟକ ଏବଂ ଅନ୍ୟ ଜଣେ ପୂର୍ବତନ ବିଧାୟକଙ୍କୁ ମାଓବାଦୀ ମାନେ ହତ୍ୟା କରିବା ପରେ ଓଡିଶା ଓ ଆନ୍ଧ୍ର ପକ୍ଷରୁ ଅପରେସନ ପାଇଁ ତିଆରି ହୋଇଥିଲା ବ୍ଲୁ ପ୍ରିଂଟ । ପ୍ରାଥମିକ ସୂଚନା ଅନୁସାରେ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍ ମାଓନେତା ରାମକ୍ରିଷ୍ଣା ଓରଫ ଆରକେ ଓରଫ ଅକିରାଜୁ ହରଗୋପାଲ ଆହତ ହୋଇଥିବା ପୋଲିସ ସନ୍ଦେହ କରୁଛି । ଆରକେ ହେଉଛି ମାଓଇଷ୍ଟ ସେଂଟ୍ରାଲ କମିଟିର ସବୁଠାରୁ ପ୍ରଭାବଶାଳୀ ସଦସ୍ୟ । ଆରକେର ଇସାରାରେ ବିଧାୟକଙ୍କୁ ହତ୍ୟା କରାଯାଇଥିଲା ବୋଲି ପୋଲିସକୁ ସୂଚନା ମିଳିଥିଲା ।

ପୋଲିସ ସନ୍ଦେହ କରୁଛି, ରାମକ୍ରିଷ୍ଣା ସହ ଟପ୍ ମାଓନେତ୍ରୀ ଅରୁଣା ମଧ୍ୟ ସେହି ଶିବିରରେ ଉପସ୍ଥିତ ଥିଲେ । ତେବେ ଏସଓଜି ଯବାନଙ୍କ ଆକ୍ରମଣ ପରେ ସେମାନେ ଶିବିରରୁ ଖସିଯାଇଥିବା ଅନୁମାନ କରାଯାଉଛି । କୋରାପୁଟ ପୋଲିସ ଦେଇଥିବା ସୂଚନା ଅନୁସାରେ, ନକ୍ସଲ ଶିବିର ଉପରେ ଆକ୍ରମଣ ସମୟରେ ୧୦ରୁ ୧୫ ଜଣ ନକ୍ସଲ ସେଠାରେ ଉପସ୍ଥିତ ଥିଲେ । ସୁରକ୍ଷାକର୍ମୀଙ୍କ ଆକ୍ରମଣ ପରେ ଘଂଚ ଜଙ୍ଗଲରେ ଗୋପନୀୟ ରାସ୍ତାର ସୁଯୋଗ ନେଇ ସେମାନେ ଖସିଯାଇଛନ୍ତି । ଏସଓଜି ଓ ବିଏସଏଫ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ ମଧ୍ୟ ସେମାନଙ୍କ ପତା ମିଳି ନଥିବା ଜଣାପଡିଛି ।