ପୋଲିସ ଏନକାଉଣ୍ଟରରେ ଗଡିଲା ୫ ନକ୍ସଲଙ୍କ ମୁଣ୍ଡ

ବଡ ଧରଣର ହମଲା ପାଇଁ ପ୍ରସ୍ତୁତ ହେଉଛି ମାଓ ସଂଗଠନ : ଡିଜିପି

118

କନକ ବ୍ୟୁରୋ : ମାଲକାନଗିରି ଜଙ୍ଗଲରେ ବଡ ଧରଣର ମାଓ ଏନକାଉଣ୍ଟର । ନକ୍ସଲ ଶିବିର ଉପରେ ଡିଭିଏଫ୍, ଏସଓଜି ଓ ପୁଲିସର ମିଳିତ ଆକ୍ରମଣରେ ୫ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ବେଳେ ସମସ୍ତେ କାଲିମେଳା ଦଳମର ସଦସ୍ୟ । ସୁରକ୍ଷାକର୍ମୀ ସେମାନଙ୍କ ଠାରୁ ବିପୁଳ ପରିମାଣର ଗୁଳିଗୋଳା ଓ ବିସ୍ଫୋରକ ଜବତ କରିଛନ୍ତି । ଏନକାଉଂଟର ବେଳେ ଘଟଣା ସ୍ଥଳରୁ ଖସି ପଳାଇ ଯାଇଛି କାଲିମେଳା ଦଳମର ମୁଖ୍ୟ ରଣଦେବ । ତାକୁ ଖୋଜିବା ପାଇଁ ଜଙ୍ଗଲ ଭିତରେ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି ।

ମାଲକାନଗିରି କାଲିମେଳାର ଆଲୁରକୋଟା ଜଙ୍ଗଲ । ଲାଲଗଡ଼ର ଏହି ଘଂଚ ଜଙ୍ଗଲ ଭିତରେ ଚାଲିଥିଲା ନକ୍ସଲ ଶିବିର । ଗୁଇନ୍ଦା ସୂତ୍ରରୁ ଖବର ପାଇ ଅନ୍ଧାର ରାତିରେ ଶିବିରକୁ ଘେରି ଯାଇଥିଲେ ସୁରକ୍ଷା ବାହିନୀ । ଭୋର ହେବା ମାତ୍ରେ ଡିଭିଏଫ୍, ଏସଓଜିଙ୍କ ସହ ମାଲକାନଗିରି ପୁଲିସ ଆରମ୍ଭ କରିଦେଲେ ମିଳିତ ଅପରେସନ୍ । ପୋଲିସର ଏନକାଉଂଟର ଏତେ ଭୟଙ୍କର ଥିଲା ଯେ ତାକୁ ପ୍ରତିରୋଧ କରିବାକୁ ବାଟ ପାଇନଥିଲେ ମାଓବାଦୀ । ଚାରିପଟୁ ଗୁଳି ବର୍ଷା କରିଥିଲା ପୋଲିସ । ମାଓବାଦୀମାନେ କାଉଁଟର ଆଟାକ୍ କରିଥିଲେ ବି ଭାରି ପଡିଥିଲା ପୋଲିସର ଆକ୍ରମଣ । ଏନକାଉଁଟରରେ ଟଳି ପଡିଥିଲେ ୫ ନକ୍ସଲ ।

ମୃତ ୫ଜଣଙ୍କ ମଧ୍ୟରେ ଅଛନ୍ତି ୨ ଜଣ ମହିଳା ମାଓବାଦୀ, ସମସ୍ତେ କାଲିମେଳା ଦଳମର ସଦସ୍ୟ । ଘଟଣାସ୍ଥଳରୁ ବ୍ୟାପକ ମାତ୍ରାରେ ଗୁଳିଗୋଳା ସହ ୪ଟି ବନ୍ଧୁକ, କାର୍ବାଇନ୍, ଗୋଟିଏ ଏସଏଲଆର ଓ ଦୁଇଟି ଇନସାସ୍ ରାଇଫଲ୍ ଜବତ ହୋଇଛି । ନିହତ ନକ୍ସଲଙ୍କ ମୃତଦେହ ଜବତ କରିଛି ପୋଲିସ । ଗତ ୩ ବର୍ଷ ମଧ୍ୟରେ ଏହା ହେଉଛି ସବୁଠୁ ବଡ଼ ଅପରେସନ୍ । ସେପଟେ ସୁରକ୍ଷାବାହିନୀଙ୍କ ଉପରେ ବଡ଼ ଧରଣର ହମଲା ପାଇଁ ପ୍ରସ୍ତୁତ ହେଉଛନ୍ତି ମାଓବାଦୀ । ସେମାନଙ୍କ ପାଖରେ ଗ୍ରେନେଡ୍ ଓ ମାରାତ୍ମକ ମାରଣାସ୍ତ୍ର ରହିଥିବାରୁ ଏପରି ଆଶଙ୍କା କରିଛନ୍ତି ଖୋଦ ଡିଜିପି ।

ଖବର ମିଳୁଛି, ଏନକାଉଂଟର ବେଳେ ଘଟଣା ସ୍ଥଳରୁ ଖସି ପଳାଇ ଯାଇଛି କାଲିମେଳା ଦଳମର ମୁଖ୍ୟ ରଣଦେବ । ତାକୁ ଖୋଜିବା ପାଇଁ ଜଙ୍ଗଲ ଭିତରେ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି । ମୋଟୁ ଦଳମ୍ ଛାରଖାର ହୋଇ ଯାଇଥିବା ବେଳେ ପୋଲିସର ଏହି ଏନକାଉଁଟର ପରେ କାଲିମେଳା ଦଲମର ମେରୁଦଣ୍ଡ ଭାଙ୍ଗି ଯାଇଥିବା କୁହାଯାଉଛି ।