ରାଉରକେଲା : ଏସଓଜି ଓ ପୁଲିସ ଗୁଳିରେ ମାଓ କ୍ୟାମ୍ପ ଧ୍ୱଂସ

30

କନକ ବ୍ୟୁରୋ : ରାଉକେଲାରେ ମାଓ କ୍ୟାମ୍ପ ଧ୍ୱଂସ କଲା ପୁଲିସ । ଏସଓଜି ଓ ରାଉରକେଲା ପୁଲିସ ଗୁଳିରେ ଛତ୍ରଭଙ୍ଗ ଦେଇଛନ୍ତି ୨୦ରୁ ଅଧିକ ମାଓବାଦୀ । ମାଓ କ୍ୟାମ୍ପରେ ପଡିଛି ରକ୍ତର ଛିଟା, ତେଣୁ ଏଥିରେ ସାଗର ଗ୍ୟାଙ୍ଗର କିଛି ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ଏହାସହ ମାଓ କ୍ୟାମ୍ପରୁ ବହୁ ବିସ୍ଫୋରକ ସହ ମାଓସାମଗ୍ରୀ ଜବତ ହୋଇଛି ।

ଗତକାଲି ରାଉରକେଲା ବଣାଇ ମହୁଲପଦା ଲୁଙ୍ଗା ଜଙ୍ଗଲରେ ସଶସ୍ତ୍ର ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ପୁଲିସ ଓ ସିଆରପିଏଫ ଯବାନ । ପ୍ରାୟ ଅଧଘଂଟା ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ତେବେ ଯବାନଙ୍କ ଗୁଳିମାଡରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ମାଓ କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ ।

ଘଟଣାସ୍ଥଳରୁ ୨ଶହ ଜୀବନ୍ତ ଗୁଳି ସହ ବହୁ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଲୁଙ୍ଗା ଜଙ୍ଗଲ ସମେତ ତାଲଡିହି, କୁନୁ, ଧୋକାମୁଣ୍ଡା ଭଳି ବିଭିନ୍ନ ଜଙ୍ଗଲରେ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ସାଗର, ପ୍ରାୟ ୨୫ ଜଣ ସହଯୋଗୀଙ୍କୁ ନେଇ କ୍ୟାମ୍ପ କରିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ଏହାପରେ ଯୋଜନା ମୁତାବକ ମାଓକ୍ୟାମ୍ପ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଯବାନ ।