ଲାଲବାହିନୀର ଲଙ୍କାକାଣ୍ଡ । କନ୍ଧମାଳରେ ରାତି ଅଧରେ ଠିକା କ୍ୟାମ୍ପରେ ପୋଡିଲେ ୭ ଗାଡି

କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀ ଏକ ଠିକା କ୍ୟାମ୍ପରେ ହମଲା କରିଛନ୍ତି

104

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀ ଏକ ଠିକା କ୍ୟାମ୍ପରେ ହମଲା କରିଛନ୍ତି। ଗତକାଲି ରାତିରେ ମାଓବାଦୀ ଠିକା କ୍ୟାମ୍ପରେ ପଶି ୬ଟି ଗାଡ଼ି ପୋଡି ଦେଇଛନ୍ତି। ଗୋଟିଏ ଜେସିବି, ୨ଟି ହିଟାଚି, ୨ଟି ଟ୍ରାକ୍ଟର ଓ ଗୋଟିଏ ମିକ୍ସଚର ମେସିନକୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ବାଲିଗୁଡା ପୂର୍ତ୍ତ ବିଭାଗ ଦ୍ୱାରା ଚାରି ବର୍ଷ ହେଲା କାମ ଚାଲିଥିବା ବେଲଘର-ଝିରିପାଣି ରାସ୍ତାର ଏକ ପୋଲ କାମ ଚାଲିଛି। ଦିଶୁଘାଟି ନିକଟ ହଳଦିପଡ଼ା ଠାରେ ଏଥିପାଇଁ ଏକ ଠିକାକ୍ୟାମ୍ପ୍ ଚାଲିଛି। ଗତକାଲି ରାତିରେ ୧୫ରୁ ୨୦ ସଶସ୍ତ୍ର ମାଓବାଦୀ ଏହି ଠିକାକ୍ୟାମ୍ପ୍ ଉପରେ ହମଲା କରିଥିଲେ।

ପ୍ରାୟ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ କ୍ୟାମ୍ପ ତାଣ୍ଡବ ଚଳାଇଥିଲେ। କ୍ୟାମ୍ପ ଥିବା କର୍ମଚାରୀ ଓ ଶ୍ରମିକଙ୍କୁ ଧମକ ଚମକ ଦେଇ ମାଡ଼ ମାରିଥିଲେ। ଭୟରେ ଶ୍ରମିକ ମାନେ କ୍ୟାମ୍ପରେ ଛାଡ଼ି ପଳାଇଥିଲେ। ପୋଷ୍ଟର ମାଧମରେ ମାଓବାଦୀ ପୋଲ ନିର୍ମାଣକୁ ବିରୋଧ କରିବା ସହ ନିମ୍ନମାନର କାମ ହେଉଛି ବୋଲି ଛାଡ଼ି ଯାଇଥିବା ପୋଷ୍ଟରରେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କୁ କାମରେ ନିୟୋଜିତ କରାଯାଉ ନାହିଁ, ଆଦିବାସୀଙ୍କୁ ବିସ୍ଥାପନ ପାଇଁ ପୋଲ କରାଯାଉଛି। ଆଉ ପ୍ରାକୃତିକ ସମ୍ପଦ ଲୁଟ୍ ପାଇଁ ପୋଲ ନିର୍ମାଣ କରାଯାଉଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

source : Signalfire

ଏହି ମାଓ ହମଲା ବଂଶଧାରା,ଘୁମୁସର ଓ ନାଗାବଳୀ ମାଓ ସଂଗଠନ ପକ୍ଷରୁ କରାଯାଇଥିବା ପୋଷ୍ଟର ଜରିଆରେ କୁହାଯାଇଛି। ଠିକ୍ ମାସକ ପୂର୍ବେ ମାଓବାଦୀ ଫୁଲବାଣୀ ସଦର ଥାନା ଅଧୀନ ମଲ୍ଲିକପଡ଼ା ନିକଟ ଏକ ଠିକା କ୍ୟାମ୍ପରେ ହମଲା କରିବା ସହ ୫ଟି ଗାଡ଼ି ପୋଡ଼ି ଦେଇଥିଲେ ଏବଂ କ୍ୟାମ୍ପ ଜଗୁଆଳକୁ ପୁଲିସ ଇନଫର୍ମର ସନ୍ଦେହରେ ନିର୍ମମ ହତ୍ୟା କରିଥିଲେ। ମଲ୍ଲିକପଡ଼ା ଠିକା କ୍ୟାମ୍ପ୍ ହମଲାରେ କେକେବିଏନ ମାଓ ସଂଗଠନର ସଂପୃକ୍ତି ଥିଲା।