ସାଧାରଣ ବଜେଟ ପୂର୍ବରୁ ଆଜି ଜିଏସଟି ବୈଠକ ! ୭୦ରୁ ଅଧିକ ସାମଗ୍ରୀ ଉପରେ କମିପାରେ ଜିଏସଟି

25

କନକ ବ୍ୟୁରୋ : ଦେଶର ସାଧାରଣ ବଜେଟ ପୂର୍ବରୁ ଆସିପାରେ ଖୁସି ଖବର । ଆଜି ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାର ସମ୍ଭାବନା ରହିଛି । ଦିଲ୍ଲୀରେ ହେବାକୁ ଥିବା ପରିଷଦର ୨୫ତମ ବୈଠକରେ ପ୍ରାୟ ୭୦ରୁ ଅଧିକ ସାମଗ୍ରୀ ଉପରେ ଜିଏସଟି ଦର କମିପାରେ ବୋଲି କୁହାଯାଉଛି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଆଗକୁ ଆଗତ ହେବାକୁ ଥିବା ବଜେଟ୍ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଶେଷ ବଜେଟ୍ । ତେଣୁ ଏଥିରେ ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କ ଆକର୍ଷଣ କରିବା ପାଇଁ କେତେକ ପଦକ୍ଷେପ ନେବା ସମ୍ଭାବନା ରହିଛି । ତେଣୁ ଆଜି ଜିଏସଟି ପରିଷଦ ବୈଠକରେ ମଧ୍ୟ ସେହି ଧାରାରେ କିଛି ନିଷ୍ପତି ନିଆଯାଇ ଲୋକଙ୍କୁ ଜିଏସଟି ଟିକସ ଚାପରୁ ରିହାତି ଦେବାକୁ ଉଦ୍ୟମ ହେବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି ।

ଜଳ ସେଚନ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ୫-୬ଟି ଉପକରଣ ଉପରୁ ଟିକସ ହାର କମ କରାଯାଇପାରେ । ଏହା ଏବେ ୧୮ ପ୍ରତିଶତ ଥିବା ବେଳେ ଏହା ୧୨ ପ୍ରତିଶତ କମିପାରେ । ସେହିପରି ବାୟୋଡିଜେଲ ଏବଂ ଇଲେକ୍ଟ୍ରିକ୍ କାର ଓ ବସ୍ ଉପରୁ ଟିକସ ପରିମାଣ ୨୮ରୁ ହ୍ରାସ କରି ୧୮ ପ୍ରତିଶତ କରାଯିବ ବୋଲି ଜଣାପଡିଛି । ଏହା ସହ ପଂଜୀକରଣ, ରିଟର୍ନ ଫାଇଲ କରିବା ଏବଂ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବ୍ୟବସ୍ଥାର ସରଳୀକରଣ ପାଇଁ ମଧ୍ୟ ବୈଠକରେ ନିଷ୍ପତି ନିଆଯିବା ସମ୍ଭାବନା ରହିଛି । ଫେବୃଆରୀ ୧ ତାରିଖରୁ ଇ-ୱେ ବିଲ୍ ଲାଗୁ କରିବା ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।