କେବଳ ପାଟକୁରା ପାଇଁ : ବିଧାନସଭା ବଦଳରେ ପ୍ରଚାର ମୈଦାନରେ ଜମିଛି ଶାସକ ଦଳର ବିଧାୟକ ଓ ମନ୍ତ୍ରୀଙ୍କ ଭିଡ, ବିରୋଧୀ କହିଲେ, ନିର୍ବାଚନ ସରିବା ଯାଏଁ ବନ୍ଦ ରହୁ ବିଧାନସଭା ।

135

କନକ ବ୍ୟୁରୋ : ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୃହରେ ବିରୋଧୀ ବିଜେପି ଓ କଂଗ୍ରେସ ହୋହାଲା କରୁଥିବା ବେଳେ ଖାଲି ପଡିଥିଲା ବିଧାନସଭା । ଆଜି ଗୃହରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକଙ୍କ ଦେଖା ମିଳିନିଥିଲା । ଆଉ ଏହା ଦେଖି ବିରୋଧୀ କହିଥିଲେ, ଯଦି ମନ୍ତ୍ରୀ ନାହାଁନ୍ତି ତେବେ ବନ୍ଦ କରିଦିଆଯାଉ ବିଧାନସଭା । କିନ୍ତୁ ବାସ୍ତବ କଥା ହେଲା, ପାଟକୁରା ନିର୍ବାଚନ ପାଇଁ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ଏବେ ବିଧାନସଭା ଛାଡି ପାଟକୁରାରେ ଡେରା ପକାଇଛନ୍ତି ।

ପାଟକୁରାରେ ଭିଡ, ବିଧାନସଭା ଖାଁ ଖାଁ । ପାଟକୁରା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଉଷ୍ମ ହେଉଥିବା ବେଳେ ଏବେ ଏହାର ପ୍ରଭାବ ସିଧାସଳଖ ବିଧାନସଭାରେ ଦେଖିବାକୁ ମିଳିଛି । ବିଧାନସଭା ଛାଡି ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ମାନେ ପାଟକୁରା ପ୍ରଚାର ମୈଦାନରେ ଭିଡ ଜମାଇଛନ୍ତି । ଆଉ ଏପଟେ ଫାଙ୍କା ପଡିଛି ବିଧାନସଭା ଆସନ ।
ଆଜି ବିଧାନସଭାରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା:
– ଆଜି ବିଧାନସଭାର ପ୍ରଥମାର୍ଦ୍ଧରେ ୨୧ରୁ ୧୦ ଜଣ ମନ୍ତ୍ରୀ ଗୃହରେ ଉପସ୍ଥିତ ଥିଲେ
– ଆଉ ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେଲା ବେଳକୁ ମନ୍ତ୍ରୀଙ୍କ ସଂଖ୍ୟା ୬ରୁ ୭କୁ ଖସି ଆସିଥିଲା
– ପ୍ରାୟ ୪୦% ଶାସକ ଦଳର ବିଧାୟକଙ୍କୁ ବିଧାନସଭାରେ ଦେଖିବାକୁ ମିଳିନଥିଲା ।

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଯେମିତି ବଦଳି ଯାଇଛି ବିଧାୟକ ଓ ମନ୍ତ୍ରୀଙ୍କ ଠିକଣା । ପ୍ରଚାର ମୈଦାନରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ଚେହେରା । କୃଷି ମନ୍ତ୍ରୀ ଅରୁଣ ସାହୁ, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମେତ ଏମିତି ଅନେକ ମନ୍ତ୍ରୀଙ୍କୁ ଆପଣ ପାଟକୁରା ନିର୍ବାଚନୀ ମୈଦାନରେ ପ୍ରଚାର କରୁଥିବା ଦେଖିବାକୁ ପାଇବେ । ଆଉ ବିଧାୟକଙ୍କ କଥା ନକହିଲେ ଭଲ । କାରଣ, ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ବହୁ ବିଧାୟକ ଗୃହରେ ଉପସ୍ଥିିତ ରହିବା ବଦଳରେ ଦଳ ପାଇଁ ପ୍ରଚାର କରିବାକୁ ଅଧିକ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି ।

ଆଇନଶୃଙ୍ଖଳା, ନିଯୁକ୍ତି ଏବଂ ଚାଷୀ ସମସ୍ୟା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ହେଉଥିବା ବେଳେ, ଗୃହରେ ଶାସକ ଦଳର ବିଧାୟକ ଏବଂ ମନ୍ତ୍ରୀଙ୍କ ଦେଖା ମିଳୁନାହିଁ । ଯେଉଁଥି ପାଇଁ ପାଟକୁରା ନିର୍ବାଚନ ସରିବା ଯାଏଁ ବିଧାନସଭାକୁ ବନ୍ଦ ରଖିବାକୁ ଦାବି କରିଛନ୍ତି ବିରୋଧୀ ।