ପୋଲିସ ଡିଜିଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ବାଣ ବେପାରି : ଏବେବି ରାଜ୍ୟରେ ବେଆଇନ ଭାବରେ ଚାଲିଛି ବାଣ ବେପାର

ବାଣ ପାଇଁ ଗତବର୍ଷ ବାଲେଶ୍ୱର ଜିଲ୍ଲାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା

153

କନକ ବ୍ୟୁରୋ : ରାଜ୍ୟରେ ବେଆଇନ ବାଣ ବିକ୍ରି ଉପରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ବର୍ତମାନ ସମୟରେ ରାଜ୍ୟର ଅନେକ ସ୍ଥାନରେ ଖୋଲାଖୋଲି ଭାବରେ ବାଣ ବିକ୍ରି ଚାଲୁଥିବା ଦେଖାଯାଇଛି । ଏହି ବାଣ ପାଇଁ ଗତବର୍ଷ ବାଲେଶ୍ୱର ଜିଲ୍ଲାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା । କେବଳ ଯେ, ବାଲେଶ୍ୱର ନୁହେଁ ସାରା ରାଜ୍ୟର ଅନେକ ସ୍ଥାନରେ ଏପରି ଭାବରେ ବାଣ ଭିଡୁଥିବା ବେଳେ ଆସାବଧାନତା ପାଇଁ ଲୋକମାନଙ୍କର ଜୀବନ ଚାଲିଯାଉଛି । ଏପରି ଘଟଣା ଗତଥର ଘଟିଥିବା ବେଳେ ପୋଲିସ ଏହି ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

 

ହେଲେ ଚଳିତ ବର୍ଷ ମଧ୍ୟ ସାମାନ ପରିସ୍ଥିତି କାରଣ ଗତକାଲି ବନମାଳିପୁରରେ ବାଣ ବିସ୍ଫୋରୋଣରେ ୨ ଜଣଙ୍କ ଅକାଳ ମୃତ୍ୟୁ ହୋଇଛି । ପୂର୍ବବର୍ଷ ବେଆଇନ ବାଣ କାରବାରରେ ମୋଟ ୧୬୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୯୯ଜଣଙ୍କୁ ନୋଟିସ କରାଯାଇଥିଲା । ତେବେ ଗତକାଲି ଘଟଣାକୁ ନେଇ ଉଦବେଗ୍ ପ୍ରକାଶ କରିଛନ୍ତି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ଏଭଳି ପରିସ୍ଥିତିରେ ସେ ପୁଣି ଥରେ ସମସ୍ତ ଜିଲ୍ଲା ଏସପିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେମାନଙ୍କ ଅଞ୍ଚଳରେ ଥିବା ବେଆଇନ ବାଣ କାରଖାନା ଉପରେ ଚଢ଼ଉ କରିବାକୁ ନିର୍ଦେଶ ଦେଇଛନ୍ତି।

 

ତେବେ ବଡ଼ କଥା ହେଉଛି ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ବେଖାତିର କରି ବନମାଳିପୁର ନୂଆସାହିରେ ବାଣ କାରଖାନା ଚାଲିଥିଲା। ଏ ନେଇ ପୁଲିସ କିମ୍ବା ପ୍ରଶାସନ କାହା ପାଖରେ ବି ଖବର ନ ଥିଲା। ତେବେ ଏ ସଂପର୍କରେ ସ୍ଥାନୀୟ ଲୋକ କହିଛନ୍ତି ବାଣକୁ ନେଇ ବନମାଳିପୁର ଅଞ୍ଚଳରେ ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି। ବାରମ୍ବାର ଏ ନେଇ ପୁଲିସ ଓ ପ୍ରଶାସନ ପାଖରେ ସ୍ଥାନୀୟ ଲୋକ ଅଭିଯୋଗ କରୁଥିଲେ ମଧ୍ୟ ଏହାର ସାମାନ୍ୟ ପ୍ରଭାବ ବାଣ କାରଖାନା ଚଳାଉଥିବା ମାଲିକଙ୍କ ଉପରେ ପଡ଼େ ନାହିଁ। ତେବେ ଏହାର ତଦନ୍ତ ହେବ ବୋଲି କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଠାରେ ପ୍ରକାଶଥାଉକି ରାଜ୍ୟର ଗଞ୍ଜାମ୍, ନୟାଗଡ଼, ବ୍ରହ୍ମପୁର, କେନ୍ଦୁଝର, କଟକ, ଜଗତସିଂହପୁର, ଖୋର୍ଧା, କେନ୍ଦ୍ରାପଡ଼ା, ଦେବଗଡ଼, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଶହ ଶହ ବେଆଇନ୍ ବାଣ କାରଖାନା ଚାଲୁଥିବା ଜଣାପଡ଼ିଛି।