କେନ୍ଦ୍ରାପଡାରେ ଛିଣ୍ଡୁଛି ପଦ୍ମ ପାଖୁଡା ।ଯୁଦ୍ଧ ପୂର୍ବରୁ ପୂର୍ବରୁ ଯୋଦ୍ଧା ଛାଡୁଛନ୍ତି ଗେରୁଆ କ୍ୟାମ୍ପ, ବିଜେପିକୁ ବାଏ ବାଏ କରି ବିଜେଡି ଶିବିରରେ ଏଣ୍ଟ୍ରି କଲେ ଛାମୁଆ ନେତା ।

1,878

କନକ ବ୍ୟୁରୋ : କେନ୍ଦ୍ରାପଡାରେ ବଢି ଚାଲିଛି ବିଜେପି କନ୍ଦଳ । ଦିନକୁ ଦିନ ଖସୁଛି ପଦ୍ମ ପାଖୁଡା । ପୂରା ରାଜ୍ୟର ନଜର କେନ୍ଦ୍ରାପଡା ଉପରେ ରହିଥିବା ବେଳେ ଏବେ ବିଜେପି ଶିବିରର ସିପାହୀ ନିର୍ବାଚନର ଠିକ୍ ପୂର୍ବରୁ ଗେରୁଆ କ୍ୟାମ୍ପ ଛାଡିବା ଆରମ୍ଭ କଲେଣି । ଯାହା ଏବେ କେନ୍ଦ୍ରାପଡା ବିଜେପିରେ ଥିବା କନ୍ଦଳକୁ ପଦାରେ ପକାଇଛି । ପୂର୍ବରୁ କେନ୍ଦ୍ରାପଡାରେ ବୈଜୟନ୍ତ ଓ ବିଜୟଙ୍କୁ ବିରୋଧ କରି ଆସୁଥିବା ବିଜେପିର ଛାମୁଆ ନେତା ମାନେ ଆଜି ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି ।

କେନ୍ଦ୍ରାପଡା ସମେତ ଜଗତସିଂହପୁରର ତୁଙ୍ଗ ନେତା ମାନେ ଦଳ ଛାଡିବା ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି । କେନ୍ଦ୍ରାପଡା ବିଜେପିର ବରିଷ୍ଠ ନେତା ଉତ୍କଳ କେଶରୀ ପରିଡା, ପାରାଦ୍ୱୀପର ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ଜେନା, କେନ୍ଦ୍ରାପଡା ଜିଲ୍ଲା ବିଜେପି ଉପସଭାପତି ଗୀତାଞ୍ଜଳି ସେଠୀ, ଜଗତସିଂହପୁର କଂଗ୍ରେସ ଜିଲ୍ଲା ଉପସଭାପତି ସନ୍ତୋଷ କୁମାର ଦାଶ, କଂଗ୍ରେସ କିଷାନ ସେଲର ସଂପାଦକ ବିଶ୍ୱନାଥ ପାଣି, ପାରାଦ୍ୱୀପ ଯୁବ କଂଗ୍ରେସ ସଭାପତି ସନ୍ତୋଷ କୁମାର ବିଶ୍ୱାଳଙ୍କ ସମେତ ଅନେକ ନେତା ଓ କର୍ମୀ ନବୀନଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

କେନ୍ଦ୍ରାପଡା ଗେରୁଆ ଶିବିରର ଦୁଇ ତୁଙ୍ଗ ନେତା ବିଜେଡିରେ ଯୋଗ ଦେବା ଏବେ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଉତ୍କଳ କେଶରୀ ପୂର୍ବରୁ ମହାକାଳପଡା ଆସନରୁ ବିଜେପି ଟିକେଟ ପାଇଁ ଆଶାୟୀ ଥିବା ବେଳେ ଦଳ ଏଠାରେ ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ସହଜରେ ଗ୍ରହଣ କରି ପାରିନଥିଲେ ଉତ୍କଳ । ଏପରିକି ବିଜୟଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଉତ୍କଳ ଅସନ୍ତୁଷ୍ଟ ମଧ୍ୟ ରହିଥିଲେ । ଦୃଢ ସଙ୍ଗଠକ ଭାବେ ଜଣାଶୁଣା ଉତ୍କଳ ଟିକେଟ ନ ପାଇବା ପରେ ଏବେ ବିଜେଡି କ୍ୟାମ୍ପରେ ଯୋଗ ଦେଇଛନ୍ତି । ଗୋଟିଏ ପଟେ ଏହା ବିଜେଡି ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଥିବା ବେଳେ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି ।

ସେହିଭଳି ଉତ୍କଳଙ୍କ ରାସ୍ତା ଆପଣାଇ କେନ୍ଦ୍ରାପଡା ଜିଲ୍ଲା ବିଜେପି ଉପସଭାପତି ଗୀତାଞ୍ଜଳି ସେଠୀ ମଧ୍ୟ ବିଜେପିକୁ ବାଏ ବାଏ କରିଛନ୍ତି । ଗୀତାଞ୍ଜଳି କେନ୍ଦ୍ରାପଡା ଆସନ ପାଇଁ ଆଶାୟୀ ଥିବା ବେଳେ ତାଙ୍କ ବଦଳରେ ଦଳ ଏଠାରେ ସୁନାକରଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ବିରୋଧ କରି ପଦ୍ମ ଛାଡି ଏବେ ଶଙ୍ଖ ଧରିଛନ୍ତି ଗୀତାଞ୍ଜଳି । ଏହି ଦୁଇ ହେଭିୱେଟ ବିଜେଡିରେ ମିଶିବା ପରେ କେନ୍ଦ୍ରାପଡା ବିଜେପି ପାଇଁ ବଡ ସଙ୍କଟ ଉଭା ହୋଇଛି । କାରଣ ପୁରୁଣା ବିଜେପିର ମଙ୍ଗ ଏହି ଦୁଇ ନେତାଙ୍କ ହାତରେ ରହିଥିବା ବେଳେ ଏବେ କେନ୍ଦ୍ରାପଡାରେ ବିଜେପି କେଉଁ ସିପାହୀଙ୍କୁ ଧରି ନିର୍ବାଚନ କୁରୁକ୍ଷେତ୍ର ଲଢିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।