ମୌସୁମୀ ବର୍ଷାରେ ଭିଜିଲା ଓଡ଼ିଶା : ପୁରୀରେ ଦେଶର ସବୁଠାରୁ ଅଧିକ ବର୍ଷା ୧୪୩ ମିମି ରେକର୍ଡ

52

କନକ ବ୍ୟୁରୋ :  ଓଡ଼ିଶାରେ ସକ୍ରିୟ ରହିଛି ମୌସୁମୀ । ପ୍ରଭାବରେ ଗତକାଲି ଦିନସାରା ବର୍ଷା ଲାଗିରହିିଥିଲା । ୨୪ ଘଣ୍ଟା ମଧ୍ୟରେ ପୁରୀରେ ଦେଶର ସବୁଠାରୁ ଅଧିକ ବର୍ଷା ୧୪୩ ମିମି ରେକର୍ଡ କରାଯାଇଛି । ଗତକାଲି ଦିନ ସମୟରେ ପୁରୀରେ ୧୨୭ ମିମି ବର୍ଷା ହୋଇଛି । ଯାହାକି ଚଳିତବର୍ଷର ସବୁଠାରୁ ଅଧିକ ବର୍ଷା । ସେହିପରି ଭୁବନେଶ୍ୱରରେ ୮୧.୮ ମିମି ବର୍ଷା ହୋଇଛି । ବର୍ଷା ପ୍ରଭାବରେ ସହର ତଳି ଅଞ୍ଚଳର ହାଲ ବିଗିଡ଼ିଯାଇଛି । ଏକାଧିକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ଚଳିତବର୍ଷ କେବେ ବି ଏତେ ପରିମାଣର ବର୍ଷା ହୋଇ ନ ଥିଲା । ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ବର୍ଷା ପରିମାଣ ଆହୁରି ବଢ଼ିବ ବୋଲି ଆକଳନ କରାଯାଇଛି । କଟକରେ ସ୍ଥିତି ଟିକିଏ ବିଗିଡ଼ି ଯାଇଛି । ଅସରାଏ ବର୍ଷାରେ ସହରର ହାଲ ବିଗିଡ଼ି ଯାଇଛି । ଅଧିକାଂଶ ସ୍ଥାନରେ ପାଣି ଜମି ରହିଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ସମୟ ମଧ୍ୟରେ ଅନୁଗୁଳରେ ୭୮ ମିମି ବର୍ଷା ହୋଇଥିବା ବେଳେ ଫୁଲବାଣୀରେ ୬୧, ସମ୍ବଲପୁରରେ ୫୦.୭, ତାଳଚେରରେ ୪୨, ସୋନପୁରରେ ୪୦.୮, ବାଲେଶ୍ୱରରେ ୨୫.୭ ମିମି ବର୍ଷା ହୋଇଛି । ଯେଉଁଥିପାଇଁ ଆଜି ଦିନ ତମାମ ସହରର ଜୀବନଯାତ୍ରା ପ୍ରଭାବିତ ହୋଇଥିଲା ।

ଅନ୍ୟପକ୍ଷରେ ବର୍ଷା ଲାଗିରହିବା ଫଳରେ ତାପମାତ୍ରା ମଧ୍ୟ ହ୍ରାସ ପାଇଛି । ସୁନ୍ଦରଗଡ଼, ଗୋପାଳପୁର, ତାଳଚେର ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରି ତଳକୁ ଖସି ଆସିଛି । ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୨୫.୭ ଡିଗ୍ରି ରହିଥିଲା । କୋରାପୁଟ ଓ ଦାରିଙ୍ଗବାଡ଼ି ତାପମାତ୍ରା ୨୩ ଡିଗ୍ରି ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି ଯେ ମୌସୁମୀର ପ୍ରଭାବ ଆଉ ବିଶେଷ ରହିବ ନାହିଁ । ୨୪ ଘଣ୍ଟା ପରେ ମୌସୁମୀ ଦୂର୍ବଳ ହୋଇଯିବ । ୨୯ ତାରିଖରେ ପଶ୍ଚିମ ଓଡ଼ିଶାରେ ବର୍ଷା ରହିବ । ଜୁଲାଇ ୧ରୁ ୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଓ ବଜ୍ରପାତର ଆଶଙ୍କା ରହିଛି । ଜୁଲାଇ ପ୍ରଥମ ସପ୍ତାହରେ ସେଭଳି ବର୍ଷା ହେବ ନାହିଁ । କାଁ ଭାଁ ବର୍ଷା ହୋଇପାରେ। କିନ୍ତୁ ତାପମାତ୍ରା ୫ରୁ ୬ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।