ରଜରେ ମଉଜ ଆଣିବ ମୌସୁମୀ! ଜୁନ୍ ପ୍ରଥମ ସପ୍ତାହରେ ପ୍ରାକ୍-ମୌସୁମୀ ବର୍ଷା, ତାତିରୁ ମିଳିବ ତ୍ରାହି

32

କନକ ବ୍ୟୁରୋ : ଜୁନ୍ ୧୦ ସୁଦ୍ଧା ଓଡିଶା ଛୁଇଁବ ମୌସୁମୀ । ଆସନ୍ତା ୨୪ ଘଣ୍ଟା ଭିତରେ ମୌସୁମୀ, କେରଳ ଛୁଇଁବା ଅନୁମାନ କରାଯାଉଥିବା ବେଳେ ଏହାର ୧୦ ଦିନ ଭିତରେ ଓଡିଶାରେ ପହଁଚିବ । ଫଳରେ ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡିଶାରେ ମୌସୁମୀ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଜୁନ ପ୍ରଥମ ସପ୍ତାହରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ଫଳରେ ଖବଶୀଘ୍ର ତାତିରୁ ତ୍ରାହି ମିଳିବ ଓଡିଶାବାସୀଙ୍କୁ ।

Rain

ପାଣିପାଗ ବିଭାଗ ୱେବସାଇଟରେ ପ୍ରକାଶିତ ହୋଇଛି ମୌସୁମୀର ସମ୍ଭାବିତ ରୁଟ୍ ମ୍ୟାପ୍ । ପାଣିପାଗ ବିଭାଗର ଆକଳନ, ଜୁନ ୧୦ରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାର ଅଧିକାଂଶ ସ୍ଥାନରେ ଜୁନ ଦି୍ୱତୀୟ ସପ୍ତାହ ସୁଦ୍ଧା ମୌସୁମୀ ବର୍ଷା ହେବା ନେଇ ଆକଳନ କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ଅନୁମାନ କରୁଛି, ଆସନ୍ତା ୨୪ ଘଂଟା ଭିତରେ ମୌସୁମୀ କେରଳ ଛୁଇଁବ ।

ଏବର୍ଷ ଶୀଘ୍ର ମୌସୁମୀ ଆସୁଥିବାରୁ ତାତିରୁ ମିଳିବ ତ୍ରାହି । ରୁଟ୍ ମ୍ୟାପ୍ ଅନୁସାରେ ଜୁନ୍ ୫ ତାରିଖରେ ଓଡ଼ିଶାର ସୀମାନ୍ତ ହେଇ ପ୍ରଭାବିତ ହେବ ମୌସୁମୀ ବାୟୁ । ଏହାର ପ୍ରଭାବରେ ମଧ୍ୟ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ରହିଛି । ତେବେ ଜୁନ ପ୍ରଥମ ସପ୍ତାହରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ମୌସୁମୀ ବାୟୁ ପ୍ରଭାବରେ ମେ’ ୩୧ ତାରିଖ ସୁଦ୍ଧା ସାରା ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରାଯାଉଛି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ମଧ୍ୟ ଅନୁରୂପ ଆକଳନ କରିଛି । ଗତ ୨୫ ତାରିଖରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ପ୍ରବେଶ କରିଥିଲା ମୌସୁମୀ । ଏବେ ବଙ୍ଗୋପସାଗରରେ ଅନୁକୂଳ ସ୍ଥିତି ସୃଷ୍ଟି ହୋଇଥିବାରୁ ଭାରତର ମୁଖ୍ୟ ଭୂଖଣ୍ଡ ଆଡକୁ ଗତି କରୁଛି ମୌସୁମୀ ବାୟୁ । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଲକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ପଣ୍ଡିଚେରିରେ ପ୍ରବଳ ବର୍ଷା ହେବା ଆକଳନ କରାଯାଇଛି । ଏବର୍ଷ ମୌସୁମୀ ସ୍ୱାଭାବିକ ରହିବ, ସାରା ଦେଶର ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।