ମନୋଜଙ୍କ ମନ କଥା

88

ମାଆ ମୁଁ ମରି ଯିବି, ଆଉ ବଂଚିବାକୁ ଇଚ୍ଛା ନାହିଁ, ମୁଁ କପି କରିବା ପିଲା ନୁହେଁ .. ଅନାଥ ମୁକବଧିର,  ଗରିବ ଘର ପିଲା,.. ମୋର ସମସ୍ୟା ଆସିଲେ କେହି ବୁଝିବେ ନାହିଁ, କପି ମୁଁ ଦେଖି ନ ଥିଲି କି, କିଏ କପି ଫିଙ୍ଗିଥିଲା ମଧ୍ୟ ଜାଣି ନ ଥିଲି , ସେମାନେ ମୋର ଆଡମିଟ କାର୍ଡ ନେଇ ଗଲେ, ଠାରରେ ବୁଝାଇବାକୁ ଚେଷ୍ଟା କଲେ ବି କେହି ମୋ କଥା ବୁଝିବାକୁ ପ୍ରସ୍ତୁତ ନ ଥିଲେ ।

ଏ ଥିଲା ମାଟ୍ରିକ ପରୀକ୍ଷା ଦେଇଥିବା ଭିନ୍ନକ୍ଷମ ମନୋଜ, ତାଙ୍କ ମାଆଙ୍କୁ ଲେଖିଥିବା କୋହଭରା ଚିଠି । ମାଲକାନଗିରି ଜିଲ୍ଲା ଏରବାନପାଲି ଗାଁର ଦଶମ ଶ୍ରେଣୀ ଛାତ୍ର ମନୋଜ ମାଢୀ । ନା ସେ ଶୁଣି ପାରନ୍ତି ନା କଥା କହି ପାରନ୍ତି । ପିଲାଟି ଦିନରୁ ବାପଛେଉଣ୍ଡ । ବହୁ ଦୁଖ କଷ୍ଟ ରେ ମାଲକାନଗିରି ସ୍ଥିତ ଅନ୍ଧ ମୁକବଧିର ବିଦ୍ୟାଳୟରେ ଦଶମ ଯାଏଁ ପାଠ ପଢାଇଥିଲେ ମାଆ । ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ମଧ୍ୟ ଦେଇ ଥିଲେ ମନୋଜ । ତେବେ ଗତ ୨୭ ତାରିଖରେ ମାଟ୍ରିକ ପରିକ୍ଷା ଫଳ ପ୍ରକାଶ ପାଇବା ପରେ ସବୁ କିଛି ଓଲଟ ପାଲଟ ହୋଇ ଗଲା । ରେଜଲ୍ଟ ୱିଥେଲ୍ଡ ରହିବା ଜାଣି ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ସେ । ମୁକ ବଧିର ହୋଇଥିବାରୁ ମାଁ ଙ୍କୁ ଚିଠି ଲେଖି ନିଜ ଦୁଃଖ ଜଣାଇଛନ୍ତି ମନୋଜ । କାଳେ ଦୁଃଖରେ ଭାଙ୍ଗିପଡି ପୁଅ ଆତ୍ମହତ୍ୟା କରିଦେବ, ବିଚଳିତ ହୋଇ ପଡିଛନ୍ତି ପୂରା ପରିବାର । ମାଆଙ୍କ ଆଖିରୁ ଲୁହ ଶୁଖୁନି, ପୁଅକୁ ଗୋଡେ ଗୋଡେ ଜଗିଛନ୍ତି ସେ ।

ମାଲକାନଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ପରୀକ୍ଷାରେ  ବସି ଥିଲେ ଭିନ୍ନକ୍ଷମ ଛାତ୍ର ମନୋଜ ମାଢୀ । ତାଙ୍କ ନିକଟରୁ କପି ଜବତ କରିବା ପରେ ମାଲ୍ ପ୍ରାକ୍ଟିସ କରିଥିଲା ସ୍କ୍ୱାଡ । କପି ତାଙ୍କର ନୁହେଁ ବୋଲି ଠାର ଓ ଆକାର ଇଙ୍ଗିତରେ ବୁଝାଇବାକୁ ଚେଷ୍ଟା କରିଥିଲେ, ହେଲେ କେହି ବୁଝି ପାରି ନ ଥିଲେ ତାଙ୍କ କଥା । ଫଳରେ ତାଙ୍କ ରେଜଲ୍ଟକୁ ୱିଥେଲ୍ଡ ରଖିଛି ବୋର୍ଡ । ପରିବାରର ଗୁହାରି ପରେ, ପୁନର୍ବିଚାର ଲାଗି ବୋର୍ଡକୁ ଜଣା ଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

ଜଣେ ମେଧାବୀ ଛାତ୍ର ହେବା ସହ କ୍ରୀଡା କ୍ଷେତ୍ରରେ ମଧ୍ୟ ବେଶ ପାରଙ୍ଗମ ଏହି ଭିନ୍ନକ୍ଷମ ଛାତ୍ର ଜଣକ । ରେଜଲ୍ଟ ଓିଥେଲ୍ଡ ରହିବା ପରେ ମନୋଜ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ତାଙ୍କୁ ଶାନ୍ତ୍ୱନା ଦେଉଛନ୍ତି ତାଙ୍କର ସାନ ଭଉଣୀ ଓ ପରିବାର ।