ରିୟଲ ଲାଇଫର ରିୟଲ ସୁପରମ୍ୟାନ୍ ମନୋଜ ! ଏପରି ଭାବରେ ବଞ୍ଚାଇଥାନ୍ତି ଲୋକମାନଙ୍କର ଜୀବନ ।

26

ହଲିଉଡ ସିନେମା ଜଗତରେ ସ୍ପାଇଡର ମ୍ୟାନ, ଆଇରନ ମ୍ୟାନ ଏବଂ ସୁପର ମ୍ୟାନ ଭଳି ବିଭିନ୍ନ ଆକ୍ସନ ମୁଭି ଦେଖିବାକୁ ମିଳିଥାଏ । ହଲିଉଡରେ ସୁୁପର ମ୍ୟାନକୁ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବରେ ଜଣାଯାଇଥାଏ । ସୁପର ମ୍ୟାନ ପାଖରେ ଏପରି ଶକ୍ତି ଥାଏ, ଯାହା ଶେଷ ମୁହୁର୍ତ୍ତରେ ଲୋକମାନଙ୍କୁ ଆସି ବିପଦରୁ ରକ୍ଷା କରିଥାଏ । ଏହାତ ଥିଲା ଫିଲ୍ମି ଦୁନିଆର କଥା । କିନ୍ତୁ ଆପଣମାନେ ଜଣିଛନ୍ତି କି, ରିୟଲ ଲାଇଫରେ ମଧ୍ୟ ଜଣେ ସୁପର ମ୍ୟାନ ରହିଛି । ଯିଏ ହଲିଉଡ ସିନେମାର ସୁପର ମ୍ୟାନ ଭଳି ଲୋକମାନଙ୍କୁ ବିପଦରୁ ମଧ୍ୟ ରକ୍ଷା କରୁଛି ।

ଉତ୍ତରପ୍ରଦେଶ ମୁଜଫରନଗରରେ ବାସ କରୁଥିବା ମନୋଜ କୁମାର ସେନୀ ନାମକ ଜଣେ ଲୋକଙ୍କୁ ସମସ୍ତେ ସୁପରମ୍ୟାନ ଭାବରେ ଜାଣନ୍ତି । ମନୋଜ କୁମାର ମୁଜଫରନଗରରେ ଏକ ଫଳ ଦୋକାନ କରି ନିଜର ପେଟ ପୋଷନ୍ତି । ସେ ଯେଉଁଠାରେ ତାଙ୍କର ଫଳ ବ୍ୟବସାୟ କରନ୍ତି ସେ ସ୍ଥାନକୁ ସୁଇସାଇଡ ପଏଣ୍ଟ କୁହାଯାଏ । ସେଠାରେ କେତେକ ଲୋକ ସୁଇସାଇଡ କରିଥିବାରୁ ସେ ସ୍ଥାନର ନାମ ଏପରି ରଖାଯାଇଛି ।

ଗତ ଏକ ବର୍ଷରେ ଆତ୍ମହତ୍ୟା କରିବାକୁ ଆସିଥିବା ୭ଜଣ ଲୋକଙ୍କୁ ମନୋଜ କୁମାର ନୁଆ ଜୀବନ ଦେଇଛନ୍ତି । ମନୋଜଙ୍କ କହିବା ଅନୁସାରେ, ପ୍ରଥମଥର ଜଣେ ଯୁବକ ଏହି ସୁଇସାଇଡ ପଏଣ୍ଟକୁ ଆସି ଆତ୍ମହତ୍ୟା କରିବା ପାଇଁ ନିକଟରେ ଥିବା କେନାଲକୁ ଡେଇଁ ପଡିଥିଲା । ଏହା ଦେଖି ମନୋଜ ମଧ୍ୟ ଯୁବକ ପଛେ ପଛେ କେନାଲକୁ ଡେଇଁ ଯୁବକର ଜୀବନ ବଞ୍ଚାଇଥିଲେ । ସେ ଗତ ଏକ ବର୍ଷ ମଧ୍ୟରେ ବହୁତ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଗତ ଗୁରୁବାର ଦିନ ମଧ୍ୟ ଆତ୍ମହତ୍ୟା କରିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛନ୍ତି ମନୋଜ କୁମାର । ମନୋଜଙ୍କ ଏପରି ସାହସିକତାକୁ ଦେଖି ନିକଟରେ ଥିବା ପୋଲିସ ଷ୍ଟେସନର ମୁଖ୍ୟ କର୍ମଚାରୀ ଥାନାକୁ ଡକାଇ ମନୋଜଙ୍କୁ ୧ ହଜାର ଟଙ୍କା ପୁରଷ୍କୃତ କରିଛନ୍ତି । ଏନେଇ ମନୋଜ କହିଛନ୍ତି ମୁଁ ମୋ ଆଖି ସାମ୍ନାରେ କାହାକୁ ଏପରି ଆତ୍ମହତ୍ୟା କରୁଥିବାର ଦେଖିପାରିବିନି । ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି ସେ ପର୍ଯ୍ୟନ୍ତ ଲୋକମାନଙ୍କୁ ସାହାଯ୍ୟ କରୁଥିବି । ଏପରି ସାହସିକତା ଏବଂ ଲୋକମାନଙ୍କୁ ସାହାଯ୍ୟ କରିବାର ମନୋଭାବ କାରଣରୁ ମନୋଜ ଆଜି ଲୋକମାନଙ୍କ ଆଗରେ ସୁପରମ୍ୟାନ ପାଲଟିଯାଇଛନ୍ତି ।