ପଞ୍ଚଭୂତରେ ଲୀନ ହେଲେ ମନୋହର ପାରିକର ! ପୁଅ ଦେଲା ମୁଖାଗ୍ନି,ଅଶ୍ରୁଳ ଆଖିରେ ବିଦାୟ ଦେଲେ ହଜାର ହଜାର ଲୋକ

118

କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହୋଇଛନ୍ତି ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର । ମନୋହରଙ୍କୁ ତାଙ୍କ ପୁଅ ମୁଖାଗ୍ନି ଦେଇଛନ୍ତି । ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ମନୋହର ପାରିକରଙ୍କ ଶେଷ କୃତ୍ୟ ଶେଷ ହୋଇଛି । ତାଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ । ରବିବାର ରାତିରେ ତାଙ୍କର ପରଲୋକ ଘଟିଥିଲା । ଗତବର୍ଷ ଠାରୁ ସେ ପାନକ୍ରିଆଟିକ୍ କ୍ୟାନସରରେ ପୀଡିତ ଥିଲେ । ତେଣୁ ବିଭିନ୍ନ ସମୟରେ ସେ ଗୋଆ, ମୁମ୍ବାଇ, ଦିଲ୍ଲୀ, ଆମେରିକାରେ ଚିକିତ୍ସିତ ହେଉଥିଲେ ।

ତାଙ୍କ ଶେଷ ଦର୍ଶନ କରିବା ପାଇଁ ସାଧାରଣ ଲୋକ ସମେତ ନେତାଙ୍କ ଭିଡ ଜମିଥିଲା ଗୋଆ ବିଜେପି କାର୍ଯ୍ୟାଳୟ ନିକଟରେ । ମନୋହର ପାରିକରଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ଗୋଆରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ସମବେଦନା ଜଣାଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ନିର୍ମଳା ସୀତାରମଣ ପ୍ରମୁଖ ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ଗୋଆରେ ପହଂଚି ଦୀବଙ୍ଗତ ନେତାଙ୍କ ଶେଷ ସମ୍ମାନ ଜଣାଇଛନ୍ତି ।