ମନୋହର ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସରୁ ଗୋଆକୁ ହେଲେ ସ୍ଥାନାନ୍ତର

34

କନକ ବ୍ୟୁରୋ : ଦୀର୍ଘ ଦିନ ହେଲାଣି ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥ ଅଛନ୍ତି । ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା କରାଯାଉଛି । ମିଳିଥିବା ସୂଚନା ଅନୁସାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତମାନ ସମୟରେ ଗମ୍ଭୀର ରହିଛି । ଅନେକ ଦିନ ହେଲାଣି ସେ ସ୍ୱତନ୍ତ୍ର ଡାକ୍ତରୀଦଳର ଚିକିତ୍ସାରେ ରହିଛନ୍ତି । ତେବେ ଆଜି ସକାଳୁ ପାରିକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହୋଇପଡିଛି । ତେଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହାପରେ ପାରିକରଙ୍କୁ ଗୋଆ ସ୍ଥାନାନ୍ତର କରାଯାଇଛି ଏୟାର ଆମ୍ବୁଲାନ୍ସରେ ।

 

ପ୍ରଥମେ ଆମେରିକାରେ ତାଙ୍କର ଚିକିତ୍ସା କରାଯାଇଥିବା ବେଳେ ପରେ ସେପ୍ଟମ୍ବର ୧୫ ରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତି କରାଯାଇଥିଲା । ତେବେ ମନୋହର ମେଡିକାଲରେ ଥିବା ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାମ ତୁଲାଇ ଆସିଥିଲେ । ଆଜି ସକାଳୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତୀ ହେଉଥିବା ସୂଚନା ମିଳିଛି । କଂଗ୍ରେସର ବରିଷ୍ଠ ନେତା ମନୋହରଙ୍କୁ ଭେଟିବା ସହ ତାଙ୍କର ଆଶୁଆରୋଗ୍ୟ କାମନା କରିଥିବା ଜଣାପଡିଛି । ସେପଟେ ପାରିକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅବଗତ ରହିଥିବା ମଧ୍ୟ ଜଣାପଡିଛି । ପାରିକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଖବର ମିଳିବାପରେ ଅନେକ ନେତା ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଯଦି ପାରିକରଙ୍କର ସ୍ୱାସ୍ଥ୍ୟ ଅବସ୍ଥ ସଙ୍ଗୀନ ରହିଛି ତେବେ ତାଙ୍କୁ ଦିଲ୍ଲୀରେ ନରଖାଯାଇ ଗୋଆ କାହିଁକି ନିଆଯାଇଛି । ତେବେ କେଉଁ କାରଣରୁ ମେଡିକାଲ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି ତାହାର ସୂଚନା ମିଳିନାହିଁ ।