ପାନକ୍ରିଆଟିକ କ୍ୟାନସର ପାଇଁ ଆଖିବୁଜିଲେ ପାରିକର । ୧୮ ବର୍ଷ ପୂର୍ବେ କ୍ୟାନସର ଯୋଗୁଁ ପତ୍ନୀଙ୍କର ହୋଇଥିଲା ଦେହାନ୍ତ

313

କନକ ବ୍ୟୁରୋ : ପରଲୋକରେ ପାରିକର । ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ୬୩ ବର୍ଷ ବୟସରଙ୍କ ପରଲୋକ ହୋଇଛି । ଗୋଆର ତିନିଥର ମୁଖ୍ୟମନ୍ତ୍ରୀ ଥିବା ପାରିକର ଦୀର୍ଘଦିନ ହେବ ପାନକ୍ରିଆଟିକ କ୍ୟାନସର ରୋଗରେ ପୀଡିତ ଥିଲେ । ଯେଉଁଥିପାଇଁ ଗତ ଗୋଟିଏ ବର୍ଷ ହେଲା ପାରିକର ଚିକିତ୍ସିତ ହେଉଥିଲେ ମଧ୍ୟ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ କେବଳ ମନୋହର ପାରିକର ନୁହେଁ ତାଙ୍କ ପତ୍ନୀ ମେଧା ପାରିକରଙ୍କର ମଧ୍ୟ ୧୮ ବର୍ଷ ପୂର୍ବେ କ୍ୟାନସର ରୋଗରେ ଦେହାନ୍ତ ହୋଇଥିଲା ।

ମନୋହର ପାରିକରଙ୍କର ଜନ୍ମ ୧୯୫୫ ମସିହାରେ ମାପୁସାରେ ହୋଇଥିଲା । ମେଧାବୀ ମନୋହର ୧୯୭୮ ମସିହାରେ ଆଇଆଇଟି ବମ୍ବେରୁ ଶିକ୍ଷା ସମାପ୍ତ କରିବା ପରେ ଆରଏସଏସରେ ଯୋଗ ଦେଇଥିଲେ । ପରେ ତାଙ୍କର ବିବାହ ୧୯୮୧ ମସିହାରେ ମେଧା ପାରିକରଙ୍କ ସହ ହୋଇଥିଲା । କିନ୍ତୁ ଦାମ୍ପତ୍ୟ ଜୀବନ ବେଶି ଦିନ ରହିନଥିଲା । ୨୦୦୧ ମସିହାରେ ପାରିକରଙ୍କ ପତ୍ନୀଙ୍କର ମଧ୍ୟ କ୍ୟାନସର ରୋଗରେ ମୃତ୍ୟୁ ହୋଇଥିଲା । ପାରିକରଙ୍କର ଉତ୍ପଳ ଓ ଅଭିଜାତ ନାମକ ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ଜଣେ ଇଞ୍ଜିନିୟର ଥିବା ବେଳେ ଜଣେ ବ୍ୟବସାୟ କରୁଛନ୍ତି ।

ପାରିକର ଗୋଆର ତିନି ଥର ମୁଖ୍ୟମନ୍ତ୍ରୀ ରହିଛନ୍ତି । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ପାରିକର । ସେହିଭଳି ୨୦୦୫ ଓ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଗେଆର ମୁଖ୍ୟମନ୍ତ୍ରୀ ରହିଥିଲେ ପାରିକର । ପରେ ତାଙ୍କୁ ମୋଦି ସରକାରରେ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ପାରିକର । ଆଉ ସେ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ଭାରତୀୟ ସେନା ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ତେବେ ୨୦୧୭ରେ ଗୋଆ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ନ ମିଳିବାରୁ ପାରିକରଙ୍କୁ ଖୋଜା ପଡିଥିଲା । ପାରିକରଙ୍କ ନେତୃତ୍ୱରେ ବିଜେପି ସରକାର ଗଢିଥିବା ବେଳେ ସର୍ମଥନ ଦେବା ପାଇଁ ଆଗେଇ ଆସିଥିଲେ ଗୋଆର ଅନ୍ୟ ଆଞ୍ଚଳିକ ଦଳ ।