ଆରଏସଏସର ‘ମୁଖ୍ୟ ଶିକ୍ଷକ’ରୁ ବିଜେପିର ସଙ୍କଟମୋଚକ ସାଜିଥିଲେ ପାରିକର ! ଜାଣନ୍ତୁ କିଭଳି ଥିଲା ମନୋହରଙ୍କ ରାଜନୈତିକ କ୍ୟାରିୟର 

270

କନକ ବ୍ୟୁରୋ : ଆରଏସଏସର ପ୍ରଚାରକରୁ ଦେଶର ରକ୍ଷାମନ୍ତ୍ରୀ ଓ ଗୋଆର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ମନୋହର ପାରିକର ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ପାରିକରଙ୍କ ସରଳ ଜୀବନଯାପନକୁ ନେଇ ପୂରା ଦେଶରେ ଚର୍ଚ୍ଚା ହୋଇଥାଏ ।  ତେବେ ଆରଏସଏସର ମୁଖ୍ୟ ଶିକ୍ଷକ ଥିବା ପାରିକର ପଲିଟିକ୍ସକୁ ଏଣ୍ଟ୍ରି କଲେ ୧୯୯୪ରେ  । ଆଉ ପରବର୍ତ୍ତୀ ସମୟରେ ଗୋଆରେ ବିଜେପିର ସଙ୍କଟ ମୋଚକ ଭାବେ ଉଭା ହେଲେ ।

୧୯୫୫ ମସିହାରେ ମାପୁସାରେ ଜନ୍ମଗ୍ରହଣ କରିଥିବା ପାରିକର ସଂଘ ପ୍ରଚାରକ ଭାବେ କାମ ଆରମ୍ଭ କରିଥିଲେ । ପରେ ଆଇଆଇଟି ବମ୍ବେରୁ ଇଞ୍ଜିନିୟରିଙ୍ଗରେ ପାଠପଢା ଶେଷ କରିବା ପରେ ମଧ୍ୟ ସଂଘ ପାଇଁ ପ୍ରଚାର ଚଳାଇଥିଲେ ପାରିକର । ତେବେ ଛୋଟବେଳୁ ଆରଏସଏସରେ ଯୋଗ ଦେଇଥିବା ପାରିକର ସ୍କୁଲ ପଢୁଥିବା ସମୟରେ ଆରଏସଏସର ମୁଖ୍ୟ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ । ତେବେ ଆଇଆଇଟିରୁ ପାଠ୍ୟକ୍ରମ ଶେଷ କରିବା ପରେ ୨୬ ବର୍ଷ ବୟସରେ ମାପୁସାର ସଂଘସଚାଳକ ଭାବେ ଦାୟିତ୍ୱ ତୁଲାଇଥିଲେ ପାରିକର ।

ଗୋଆରେ କଂଗ୍ରେସର ଆଧିପତ୍ୟ ବଢି ଚାଲିଥିବା ବେଳେ ଏଥିରେ ବ୍ରେକ ଦେବାକୁ ରାଜନୀତି ମୈଦାନକୁ ପାରିକରଙ୍କୁ ଏଣ୍ଟ୍ରି କରିଥିଲା ବିଜେପି । ୧୯୯୪ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ବିରୋଧୀ ଦଳ ନେତା ରହିଥିଲେ ପାରିକର ।

ତେବେ ୨୦୦୦ ମସିହାରେ ପ୍ରଥମଥର ପାଇଁ ଗୋଆକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିଥିଲେ ପାରିକର । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ ମଧ୍ୟ ତାଙ୍କର ସରକାର ମାତ୍ର ୨ ବର୍ଷରୁ କମ ସମୟ ଚାଲିଥିଲା ।  ତେବେ ୨୦୦୨ରେ ପୁଣିଥରେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ପାରିକର । ତେବେ ୨୦୦୭ ନିର୍ବାଚନରେ ବିଜେପିର ଏଠାରେ ପରାଜୟ ହୋଇଥିବା ବେଳେ ୨୦୧୨ରେ ପୁଣିଥରେ କମବ୍ୟାକ୍ କରିଥିଲେ ପାରିକର । ମୋଟ ୪୦ଟି ସିଟରୁ ୨୧ଟିରେ ବିଜୟ ହାସଲ କରିଥିଲା ବିଜେପି ।

୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଗୋଆର ମୁଖ୍ୟମନ୍ତ୍ରୀ ରହିବା ପରେ ତାଙ୍କୁ ମୋଦି ସରକାରରେ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ମିଳିଥିଲା । ଆଉ ସେ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ଭାରତୀୟ ସେନା ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ସେତେବେଳେ ଏହାର ଶ୍ରେୟ ସଂଘର ଶିକ୍ଷାକୁ ଦେଇଥିଲେ ପାରିକର । ତେବେ ୨୦୧୭ରେ ଗୋଆ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ନ ମିଳିବାରୁ ପାରିକରଙ୍କୁ ଖୋଜା ପଡିଥିଲା । ପାରିକରଙ୍କ ନେତୃତ୍ୱରେ ବିଜେପି ସରକାର ଗଢିଥିବା ବେଳେ ସର୍ମଥନ ଦେବା ପାଇଁ ଆଗେଇ ଆସିଥିଲେ ଗୋଆର ଅନ୍ୟ ଆଞ୍ଚଳିକ ଦଳ । ଆଉ ସଙ୍କଟମୋଚକ ଭାବେ ଉଭା ହୋଇଥିଲେ ପାରିକର ।

ଗତ ବର୍ଷ ଫେବ୍ରୁଆରୀ ମାସରେ ପାରିକର ପାନକ୍ର୍ରିଆଟିକ ରୋଗରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ, ଦିଲ୍ଲୀ ଏପରିକି ଆମେରିକା ନିଆଯାଇଥିଲା । ତେବେ ଦୀର୍ଘ ଦିନ କ୍ୟାନସର ଲଢେଇ କରିବା ପରେ ମାର୍ଚ୍ଚ ୧୭ରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ପାରିକର ।