ହରିୟାଣାରେ ବିଜେପି-ଜେଜେପି ସରକାର । ଖଟ୍ଟର ମୁଖ୍ୟମନ୍ତ୍ରୀ, ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ, ଗୋପାଳ କାଣ୍ଡାଙ୍କ ସମର୍ଥନ ନେବନି ବିଜେପି ।

329

କନକ ବ୍ୟୁରୋ : ମହାରାଷ୍ଟ୍ର ଭଳି ହରିୟାଣାରେ ବି ହେବ ମେଂଟ ସରକାର । ଜନନାୟକ ଜନତା ପାର୍ଟି ସମର୍ଥନରେ ସରକାର ଗଢିବାକୁ ଯାଉଛି ବିଜେପି । ଜେଜେପିର ୧୦ ଜଣ ବିଧାୟକ ଏବଂ ୭ ଜଣ ସ୍ୱାଧୀନ ବିଧାୟକଙ୍କ ସମେତ ମୋଟ ୫୭ ଜଣ ବିଧାୟକଙ୍କ ସମର୍ଥନ ଥିବା ତାଲିକା ରାଜ୍ୟପାଳଙ୍କୁ ଦେଇଛି ବିଜେପି । ଆସନ୍ତାକାଲି ବିଜେପି-ଜେଜେପି ମେଂଟ ସରକାର ଶପଥ ନେବ । ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଏବଂ ଦୁଶ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେପଟେ କଂଗ୍ରେସର ତୀବ୍ର ବିରୋଧ ପରେ ହରିୟାଣା ଲୋକହିତ ପାର୍ଟି ବିଧାୟକ ଗୋପାଳ କାଣ୍ଡାଙ୍କ ସମର୍ଥନ ନେବାକୁ ମନା କରିଦେଇଛି ବିଜେପି ।

ହରିୟାଣାରେ ବିଜେପି-ଜେଜେପି ସରକାର । ଖଟ୍ଟର ମୁଖ୍ୟମନ୍ତ୍ରୀ, ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ । ହରିୟାଣାରେ ସରକାର ଗଠନ ପାଇଁ ଦାବି ଜଣାଇଛି ବିଜେପି-ଜେଜେପି ମେଂଟ । ରାଜ୍ୟପାଳଙ୍କୁ ଭେଟି ମେଂଟ ସରକାର ପାଖରେ ୫୭ ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରାଯାଇଛି । ଯେଉଁଥିରେ ରହିଛି ବିଜେପିର ୪୦ ବିଧାୟକ, ଜେଜେପିର ୧୦ ବିଧାୟକଙ୍କ ସହ ୭ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ । ଆଉ ଏହି ତାଲିକା ଆଧାରରେ ସରକାର ଗଢିବାକୁ ଭାରତୀୟ ଜନତା ପାର୍ଟି ଓ ଜନନାୟକ ଜନତା ପାର୍ଟିକୁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ ।

ଦୀପାବଳିରେ ଶପଥ ନେବ ନୂଆ ସରକାର । ରବିବାର ହରିୟାଣାରେ ନୂଆ ସରକାର ଶପଥ ଗ୍ରହଣ କରିବ । ଅପରାହ୍ନ ପ୍ରାୟ ସାଢେ ୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମନୋହର ଲାଲ ଖଟ୍ଟର । ଏବଂ ଜେଜେପି ବିଧାୟକ ଦୁଷ୍ୟନ୍ତ ଚୌଟାଲା ହେବେ ମେଂଟ ସରକାରରେ ଉପମୁଖ୍ୟମନ୍ତ୍ରୀ । କେନ୍ଦ୍ରୀୟ ବିଜେପିର ହେବିୱେଟ୍ ନେତା ସାମିଲ ହେବେ ଏହି ଶପଥ ଗ୍ରହଣ ସମାରୋହରେ ।

ପ୍ରବଳ ବିରୋଧ ପରେ ବଦଳିଲା ନିଷ୍ପତ୍ତି । ଗୋପାଳ କାଣ୍ଡାଙ୍କ ସମର୍ଥନ ନେବନି ବିଜେପି । ହରିୟାଣାରେ ସରକାର ଗଠନ ନେଇ ଅଙ୍କକଷା ଚାଲିଥିବା ବେଳେ ବିଜେପିକୁ ନିଃସର୍ତ ସମର୍ଥନ ଘୋଷଣା କରିଥିଲେ ବିଧାୟକ ଗୋପାଳ କାଣ୍ଡା । ହରିୟାଣା ଲୋକହିତ ପାର୍ଟିର ଏହି ବିଧାୟକଙ୍କ ବିରୋଧରେ ଏୟାର ହୋଷ୍ଟେସ ଗୀତିକା ଶର୍ମାଙ୍କ ଆତ୍ମହତ୍ୟା ପାଇଁ ଉସୁକେଇବା ଭଳି ମାମଲା ରହିଛି । ତେଣୁ ବିବାଦୀୟ କାଣ୍ଡାଙ୍କ ସମର୍ଥନ ନେଇ ବିଜେପିକୁ ଘେରିଥିଲା କଂଗ୍ରେସ । ଏପରିକି ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତ୍ରୀ ଉମାଭାରତୀ ମଧ୍ୟ ଏହାର ପ୍ରତିବାଦ କରିଥିଲେ । ଶନିବାର ବିଜେପି ତାର ନିଷ୍ପତି ବଦଳାଇଦେଇଛି । ଏସବୁ ଭିତରେ ପୂର୍ଣ୍ଣ ବହୁମତ ନଥିଲେ ମଧ୍ୟ ବିଜେପି, ହରିୟାଣାରେ ଜେଜେପିକୁ ସାଙ୍ଗରେ ନେଇ ସରକାର ଗଢିବାକୁ ଯାଉଛି ।