ବିମୁଦ୍ରାକରଣକୁ ନେଇ ତ୍ରୁଟି ବାହାର କଲେ ମନମୋହନ ! ସଫଳତା ବଖାଣିଲେ ଅରୁଣ ଜେଟଲି

46

କନକ ବ୍ୟୁରୋ :  ବିମୁଦ୍ରାକରଣର ପ୍ରସଙ୍ଗକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ମୁହାଁମୁହିଁ ହୋଇଛନ୍ତି । ଏକ ସାକ୍ଷାତକାରରେ ଏନ୍‌ଡିଏ ସରକାରଙ୍କ ଦୁଇଟି ମହତ୍ୱପୂର୍ଣ୍ଣ ପଦକ୍ଷେପ ବିମୁଦ୍ରାକରଣ ଏବଂ ଜିଏସଟିକୁ ଶ୍ରୀ ସିଂହ ସମାଲୋଚନା କରିଥିବା ବେଳେ ଅନ୍ୟ ଏକ ମଞ୍ଚରେ ବିମୁଦ୍ରାକରଣର ସଫଳତାଗୁଡ଼ିକୁ ଜେଟ୍‌ଲି ବଖାଣିଛନ୍ତି। ଜେଟ୍‌ଲି ଏହା ମଧ୍ୟ କହିଛନ୍ତି ଯେ, କିଛି ଲୋକ ବିମୁଦ୍ରାକରଣକୁ ବୁଝନ୍ତି ନାହିଁ ।

ମନମୋହନ ସିଂହ ସିଂହ କହିଛନ୍ତି ଯେ ତରବରିଆ ଭାବେ ଜିଏସଟି ଲାଗୁ କରାଯାଇଥିବାରୁ ଦେଶର ଅଭିବୃଦ୍ଧି ହାର ଆହୁରି କମିବ । ବିମୁଦ୍ରାକରଣ ଯୋଗୁଁ ଜିଡିପି ଅଭିବୃଦ୍ଧି ହାର ଦୁଇ ପ୍ରତିଶତ କମିଯିବ ବୋଲି ସେ ପୂର୍ବରୁ ସତର୍କ କରାଇଥିଲେ । ଏବେ ସେ କହିଛନ୍ତି ଯେ ବିମୁଦ୍ରାକରଣ ଏବଂ ତରବରିଆ ଭାବେ ଜିଏସ୍‌ଟି ଲାଗୁ କରାଯାଇଥିବାରୁ ଦେଶର ଅଣସଂଗଠିତ ଏବଂ କ୍ଷୁଦ୍ର ଶିଳ୍ପ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହେବ। ଦେଶର ଅର୍ଥନୀତି ପ୍ରତି ଏହି ଦୁଇ କ୍ଷେତ୍ରର ଅବଦାନ ୪୦% ରହିଛି । ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ଅଣ ସଂଗଠିତ କ୍ଷେତ୍ରରେ ଦେଶର ୯୦% ଲୋକ କାମ କରୁଛନ୍ତି । ଦେଶରେ ପ୍ରଚଳନରେ ଥିବା ୮୬% ନୋଟ୍‌କୁ ଅଚଳ କରିଦେବା ଏବଂ ଏହା ପରେ ଜିଏସ୍‌ଟିକୁ ଯେଉଁଭଳି ଭାବେ ଲାଗୁ କରାଯାଇଛି, ସେଥିରେ ଅନେକ ତ୍ରୁଟି ରହିଥିଲା । ଏବେ ସେହି ସବୁ ବିଷୟ ସାମ୍ନାକୁ ଆସୁଛି । ଏହି ଦୁଇ ପଦକ୍ଷେପର ପ୍ରଭାବ ନିଶ୍ଚିତ ରୂପେ ଦେଶର ଅଭିବୃଦ୍ଧି ଉପରେ ପଡ଼ିବ ବୋଲି ମନମୋହନ କହିଛନ୍ତି ।

ଗତବର୍ଷ ନଭେମ୍ବର ୮ରେ ମୋଦି ସରକାର ବିମୁଦ୍ରାକରଣ ଘୋଷଣା କରିଥିଲେ । ଏହାର ଦୁଇ ସପ୍ତାହ ପରେ ଅର୍ଥାତ ସେହି ମାସ ୨୫ ତାରିଖରେ ସଂସଦରେ ଅଭିଭାଷଣ ପ୍ରଦାନ କରି ମନମୋହନ ସିଂହ ବିମୁଦ୍ରାକରଣକୁ ଏକ ମସ୍ତବଡ଼ ଭୁଲ ବୋଲି କହିଥିଲେ । ଏହାକୁ ସେ ଏକ ସଂଗଠିତ ଲୁଟ୍‌ ବୋଲି କହିବା ସହ ଏହାର ପ୍ରଭାବରେ ଜିଡିପି ଅଭିବୃଦ୍ଧି ୨% କମିଯିବ ବୋଲି ଆକଳନ କରିଥିଲେ । ଏବେ ଦେଶର ଅଭିବୃଦ୍ଧି ହାର ତିନି ବର୍ଷ ଭିତରେ ସବୁଠୁ ନିମ୍ନ ସ୍ତର ୫.୭%କୁ ହ୍ରାସ ପାଇଛି । ଗତବର୍ଷ ତାହା ୭.୯% ଥିଲା । ଫଳରେ ଦେଶରେ ଏବେ ଚର୍ଚ୍ଚା ହେଉଛି ଯେ ମନମୋହନ ସିଂହ ଯାହା ଆକଳନ କରିଥିଲେ ତାହା ଏକ ପ୍ରକାର ସତ ହୋଇଛି । ଅଭିବୃଦ୍ଧି ତଥ୍ୟ ପ୍ରକାଶ ପାଇବା ପରେ ସରକାର ସଫେଇ ଦେଇଥିଲେ ଯେ ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ପୁରୁଣା ଷ୍ଟକ୍‌ ରଖି ଦେବା ଯୋଗୁଁ ଯେଉଁ ସ୍ଥିତି ସୃଷ୍ଟି ହୋଇଥିଲା, ସେଥିପାଇଁ ଅଭିବୃଦ୍ଧି କମ ହୋଇଛି ।

Arun Jaitleyଚଳିତ ବର୍ଷ ଏପ୍ରିଲ୍‌ରେ ସଂସଦରେ ଜିଏସ୍‌ଟି ବିଲ୍‌ ପାସ୍‌ ହେବା ବେଳେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସରକାରଙ୍କୁ ଜଣାଇ ଦେଇଥିଲେ ଯେ ଜିଏସ୍‌ଟିକୁ ଲାଗୁ କରିବାରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼ିବ । ଉଲ୍ଳେଖଯୋଗ୍ୟ, ଗତକାଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ବିମୁଦ୍ରାକରଣର ସଫଳତା ବିଷୟରେ ଘୋଷଣା କରିଛନ୍ତି । ବିମୁଦ୍ରାକରଣ ଯୋଗୁଁ ଡିଜିଟାଲ୍‌ କାରବାର ପରିମାଣ ବଢ଼ିଛି, ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏବଂ ବଡ଼ ନୋଟର ପ୍ରଚଳନ କମ୍‌ ହୋଇଛି ବୋଲି ସେ କହିଛନ୍ତି।

ଗୁଗୁଲ୍‌ର ପେମେଣ୍ଟ୍‌ ଆପ୍‌ ‘ତେଜ୍‌’ର ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ କେତେକ ଲୋକ ବିମୁଦ୍ରାକରଣକୁ ଭଲ ଭାବେ ବୁଝିପାରିନାହାନ୍ତି ଏବଂ କେତେ ପରିମାଣର ଟଙ୍କା ବ୍ୟାଙ୍କ ପାଖରେ ପହଞ୍ଚିଲା, ସେହି ଆଧାରରେ ବିମୁଦ୍ରାକରଣର ସଫଳତା ହିସାବ କରୁଛନ୍ତି । ବିମୁଦ୍ରାକରଣର ସଫଳତା ହିସାବ ପାଇଁ ମୁଁ ତିନିଟି ରେଖା ଚିହ୍ନଟ କରିଛି । ଗୋଟିଏ ହେଉଛି କେତେ ଶୀଘ୍ର ଆର୍‌ବିଆଇ ନୋଟ୍‌ ଛପାଇଛି । ଅନ୍ୟ ଦୁଇଟି ହେଲା ବଜାରରେ ବଡ଼ ନୋଟ୍‌ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ଓ ଡିଜିଟାଲ କାରବାରରେ ବୃଦ୍ଧି ।