ମନମୋହନ ସିଂହଙ୍କୁ ଭେଟିଲେ ପଂଜାବ ମୁଖ୍ୟମନ୍ତ୍ରୀ । କର୍ତାରପୁର କରିଡର ଉଦଘାଟନରେ ସାମିଲ ହେବା ପାଇଁ ଦେଲେ ନିମନ୍ତ୍ରଣ ।

166

କନକ ବ୍ୟୁରୋ : କର୍ତାରପୁର କରିଡ଼ରର ଉଦଘାଟନ ଉତ୍ସବରେ ସାମିଲ ହେବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ନିମନ୍ତ୍ରଣ ଦେଇଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ମନମୋହନ-ଅମରିନ୍ଦରଙ୍କ ସାକ୍ଷାତ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏହି ନିମନ୍ତ୍ରଣକୁ ଗ୍ରହଣ କରିଥିବା ନେଇ ପଂଜାବ ସରକାରଙ୍କ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି । ତେବେ ମନମୋହନ ସିଂ ଏହି ଉତ୍ସବରେ ସାମିଲ ହେଉଛନ୍ତି ନା’ ନାହିଁ, ସେ ସଂପର୍କରେ ମନମୋହନ ସିଂଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

କର୍ତ୍ତାରପୁର କରିଡର ଯିବେ ମନମୋହନ । ନିମନ୍ତ୍ରଣ ରଖିଲେ ପୂର୍ବତନ ପ୍ରଧାନମନ୍ତ୍ରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପଂଜାମ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଏହି ଦେଖାସାକ୍ଷାତ ପରେ ମନମୋହନ ସିଂଙ୍କ କର୍ତାରପୁର କରିଡ଼ରର ଉଦଘାଟନ ଉତ୍ସବରେ ସାମିଲ ହେବା ନେଇ ସ୍ପଷ୍ଟ ହୋଇଛି । ଆସନ୍ତା ୯ ତାରିଖରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ପାକିସ୍ତାନର କର୍ତାରପୁର ଯିବେ, ଯେଉଁ ପ୍ରତିନିଧି ଦଳରେ ରହିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ପଂଜାବ ମୁଖ୍ୟମନ୍ତ୍ରୀ, ମନମୋହନଙ୍କୁ ଏହି ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେବା ପରେ ଟ୍ୱିଟ କରି ଲେଖିଛନ୍ତି, ଉତ୍ସାହର ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ସାକ୍ଷାତ କଲି । କର୍ତାରପୁର ସାହେବ ଗୁରୁଦ୍ୱାରକୁ ଯାଉଥିବା ପ୍ରଥମ ପ୍ରତିନିଧି ଦଳରେ ରହିବାକୁ ନିମନ୍ତ୍ରଣ ଦେଲି । ସେହିପରି ସୁଲତାନପୁର ଲୋଦିରେ ଶ୍ରୀଗୁରୁ ନାନକଙ୍କ ୫୫୦ତମ ପ୍ରକାଶ ପୁରବରେ ସାମିଲ ହେବାକୁ ନିମନ୍ତ୍ରଣ ଦେଲି ।

ଏହା ପରେ ପରେ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ମିଡ଼ିଆ ସେଲ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ମନମୋହନ ସିଂ କର୍ତାରପୁର କରିଡ଼ର ଯିବା ପାଇଁ ଦିଆଯାଇଥିବା ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମଧ୍ୟ କର୍ତାରପୁର କରିଡ଼ରର ଉଦଘାଟନ ଉତ୍ସବରେ ମନମୋହନ ସିଂଙ୍କୁ ନିମନ୍ତ୍ରଣ ଦିଆଯିବ ବୋଲି ସୂଚନା ଦେଇଥିଲେ । ଯାହାକୁ ନେଇ ଭାରତରେ ବଡ଼ଧରଣର ଚର୍ଚ୍ଚା ହୋଇଥିଲା ।

କେବଳ ଯେ ମନମୋହନ ସିଂଙ୍କୁ ଏହି ପ୍ରକାଶ ପୁରବ୍ ଉତ୍ସବ ପାଇଁ ନିମନ୍ତ୍ରଣ ଦିଆଯାଇଛି ତାହା ନୁହେଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଥିବା ନେଇ ବିଧିବଦ୍ଧ ଭାବେ ମୁଖପାତ୍ର ସୂଚନା ଦେଇଛନ୍ତି ।

କୁହାଯାଉଛି, ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତତା ଭିତରେ ଏହି କର୍ତାରପୁର କରିଡ଼ର ଏକ ନୂଆ ସମ୍ଭାବନା ହୋଇ ସାମ୍ନାକୁ ଆସିବ । କାରଣ କର୍ତାରପୁରରେ ଥିବା ଗୁରୁଦ୍ୱାରା, ଶିଖ୍ ଧର୍ମାବଲମ୍ବୀଙ୍କ ଏକ ବଡ଼ ଆସ୍ଥା ଓ ବିଶ୍ୱାସର କେନ୍ଦ୍ରଭାବେ ପରିଚିତ ।

କର୍ତାରପୁର କରିଡ଼ରରେ ଥିବା କର୍ତାରପୁର ସାହେବ ଗୁରୁଦ୍ୱାରା, ଏକ ଆସ୍ଥାର ପ୍ରତୀକ । ପଂଜାବ ସୀମାର ଅତି ନିକଟରେ ଥିଲେ ସୁଦ୍ଧା ଏହା ପାକିସ୍ତାନରେ ଥିବାରୁ ଏହି ଗୁରୁଦ୍ୱାରା ଯିବା ଭାରତୀୟମାନଙ୍କ ପାଇଁ ସହଜ ହେଉନଥିଲା । ଆଉ ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନର ଇମ୍ରାନ ଖାନ ସରକାର ଏହି କରିଡ଼ର ଖୋଲିବାକୁ ନିଷ୍ପତି କରିଥିଲେ । ଏପଟେ ପାକିସ୍ତାନ ଯିବାକୁ ଥିବା ପ୍ରତିନିଧି ଦଳକୁ ଅନୁମତି ଦେବା ପାଇଁ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି ।